ଭୁବନେଶ୍ୱର: ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ କଲା ଭୀଷଣ ବାତ୍ୟା ‘ଦାନା’। ରାତି ପ୍ରାୟ ୧ଟା ବେଳକୁ ଧାମରା ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ୨୦ କିମି ଦୂରରେ ଭିତରକନିକା ଅନ୍ତର୍ଗତ ହାବେଳିଖଟି ନେଚର୍ କ୍ୟାମ୍ପ ନିକଟରେ ସ୍ଥଳଭାଗ ଛୁଇଁଛି। ଏହାପରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଥିବା ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ପାଇଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ରହିଥିବା ନେଇ ସୂଚନା ମିଳିଛି। ବର୍ତ୍ତମାନ ଏହା ଧାମରାଠାରୁ ଉତ୍ତରକୁ ୧୫ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି। ତେବେ ଏହାର ପ୍ରଭାବରେ କେନ୍ଦ୍ରାପଡ଼ା ଓ ଭଦ୍ରକ ଉପକୂଳ ଅଶାନ୍ତ ହୋଇପଡ଼ିଥିବା ବେଳେ ସମୁଦ୍ରରେ ଉଚ୍ଚ ଜୁଆର ଆସିଥିଲା ।
ତେବେ ଶୁକ୍ରବାର ବାତ୍ୟା ‘ଦାନା’ ପ୍ରଭାବରେ ଓଡ଼ିଶାର ଅନେକ ଅଂଚଳରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଶୁକ୍ରବାର ପାଇଁ ୯ ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଓ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧାରେ ଅତିରୁ ଅତି ପ୍ରବଳ ବର୍ଷା ପାଇଁ ରେଡ଼ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସମୀରେନ ୨୦ରୁ ୩୦ ସେଣ୍ଟିମିଟର ବର୍ଷା ହେବା ସମ୍ଭାବନା ରହିଥିବା ସୂଚନା ମିଳିଛି। ସେହିପରି ନୟାଗଡ଼, ବୌଦ୍ଧ, ସୋନପୁର, ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେଓଗଡ଼, ଗଞ୍ଜାମ, କନ୍ଧମାଳରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରାଜ୍ୟରେ ବର୍ଷାର ପ୍ରଭାବ ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଅପରପକ୍ଷରେ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁସାରେ ଗୁରୁବାର ପାରାଦୀପରେ ସର୍ବାଧିକ ୬୨.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୪୬.୨, ରାଜକନିକାରେ ୨୭, ରାଜନଗରରେ ୨୪, ନୀଳଗିରିରେ ୨୩, ପଟ୍ଟାମୁଣ୍ଡାଇରେ ୨୨.୫, ଧାମନଗରରେ ୧୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।