ନୂଆଦିଲ୍ଲୀ: ନିକଟରେ ଗଣମାଧ୍ୟମରେ ସମଗ୍ର ଦେଶରେ ଡିଏପି ଅଭାବକୁ ନେଇ ରିପୋର୍ଟ ପ୍ରକାଶିତ ହୋଇଥିବା ବେଳେ ଏ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କେନ୍ଦ୍ର ସରକାର। ଡାୟାମ୍ମୋନିୟମ୍ ଫସଫେଟ୍ (ଡିଏପି)ର ଅଭାବକୁ ନେଇ ପ୍ରକାଶିତ ହୋଇଥିବା ଖବରକୁ କେନ୍ଦ୍ର ସରକାର ଖଣ୍ଡନ କରି ଏଭଳି ରିପୋର୍ଟ ବିଭ୍ରାନ୍ତିକର ଏବଂ ତଥ୍ୟବିହୀନ ବୋଲି ସଫେଇ ଦେଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୨୩ ତାରିଖରେ ରାସାୟନିକ ଓ ସାର ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି ହୋଇଛି । ଏହି ବିଜ୍ଞପ୍ତିରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ ରାସାୟନିକ ଓ ସାର ମନ୍ତ୍ରଣାଳୟ ଡିଏପି ଉପରେ ସବସିଡି ଆଦୌ ହ୍ରାସ କରିନଥିବା ଏବଂ ଏହାର ସର୍ବାଧିକ ଖୁଚୁରା ମୂଲ୍ୟ କୋଭିଡ୍ ସମୟରୁ ୫୦ କିଲୋଗ୍ରାମ ବ୍ୟାଗ୍ ପିଛା ଏକ ହଜାର ୩୫୦ ଟଙ୍କା ରଖାଯାଇଥିବା ଦର୍ଶାଇଛନ୍ତି। ତେବେ କୃଷକ ମାନଙ୍କ ସୁବିଧା ପାଇଁ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ଦ୍ୱାରା ୨୦୨୪ ରବିଋତୁ ପାଇଁ ଡିଏପିର ସବସିଡି ବୃଦ୍ଧି କରାଯାଇଛି। ସେହିପରି କମ୍ପାନୀଗୁଡିକ ପାଇଁ ମୂଲ୍ୟ ସ୍ଥିର କରିବା ଲକ୍ଷ୍ୟରେ ଏମଟି ପ୍ରତି ୩୫୦୦ ଟଙ୍କା ମୂଲ୍ୟରେ ଡିଏପି କ୍ରୟ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଭାବରେ ୨୬୨୫ କୋଟି ଟଙ୍କା ପ୍ରଦାନ କରାଯାଇଥିବା ସୂଚନା ଦେଇଛି ରାସାୟନିକ ଓ ସାର ମନ୍ତ୍ରଣାଳୟ ।
ଏତଦବ୍ୟତୀତ ୨୦୨୪-୨୦୨୫ ରବିଋତୁ ପାଇଁ ମୋଟ ବଜେଟ୍ ଆବଣ୍ଟନକୁ ୨୪ ହଜାର ୪୭୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଭୂ-ରାଜନୈତିକ କାରଣ ଯୋଗୁଁ ଡିଏପିର ଉପଲବ୍ଧତା କିଛି ମାତ୍ରାରେ ପ୍ରଭାବିତ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ତେବେ ଚଳିତ ବର୍ଷ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ସାର ବିଭାଗ ପକ୍ଷରୁ ଉପଲବ୍ଧତା ଯଥେଷ୍ଟ ବୃଦ୍ଧି ପାଇଁ ବ୍ୟାପକ ପ୍ରୟାସ କରାଯାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି ।