ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ଏହାର ପ୍ରଭାବରେ ଓଡ଼ିଶାର ବିଭନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଏହାର ସିଧାସଳଖ ପ୍ରଭାବ ଦକ୍ଷିଣ ଓଡ଼ିଶା ବିଶେଷକରି ମାଲକାନଗିରି ଏବଂ କୋରାପୁଟ ଜିଲାରେ ଦେଖିବାକୁ ମିଳିଛି। ଉଭୟ ଜିଲାର ୬ଟି ବ୍ଲକ ବନ୍ୟା ପ୍ରଭାବିତ ହୋଇଥିବାରୁ ଏହିସବୁ ଜିଲ୍ଲାରେ ସ୍ୱତନ୍ତ୍ର ରିଲିଫ୍ କ୍ୟାମ୍ପ କରାଯାଇ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ମାଲକାନଗିରିରେ ୪ଟି ଏବଂ କୋରାପୁଟରେ ୨ଟି ରିଲିଫ୍ କ୍ୟାମ୍ପ କରାଯାଇ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି। ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦିଆଛନ୍ତି। ତେବେ ପରିସ୍ଥିତି ଉପରେ ନଜର ରଖିବାକୁ ୨ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠି ଓ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କୁ ମାଲକାନଗିରିରେ ଓ ପୋଲିସ ଡିଆଇଜି ଚରଣ ସିଂ ମୀନାଙ୍କୁ କୋରାପୁଟଠାରେ ନିୟୋଜିତ କରାଯାଇଛି। ପ୍ରବଳ ବର୍ଷା ଓ ବନ୍ୟା ସ୍ଥିତିକୁ ଦେଖି ମଙ୍ଗଳବାର ପାଇଁ ୩ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି। ଏହି ଜିଲ୍ଲା ଗୁଡିକ ହେଲା ମାଲକାନଗିରି, କୋରାପୁଟ ଓ ଗଂଜାମ। ଏନେଇ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ପୂର୍ବରୁ ମାଲକାନଗିରି ଓ ଗଞ୍ଜାମ ଜିଲ୍ଲାର ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି ନେଇ ଜିଲ୍ଲାପାଳମାନଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ମାତ୍ର ମଙ୍ଗଳବାର ପାଣିପାଗ ବିଭାଗ ପକ୍ଷରୁ ରେଡ ୱାର୍ଣ୍ଣିଂ ଜାରି ହେବ ପରେ କୋରାପୁଟର ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି।