ନୂଆଦିଲ୍ଲୀ: ନିକଟରେ ପୂର୍ବ ଲଦାଖରେ ଭାରତ ଓ ଚୀନ ମଧ୍ୟରେ ଥିବା ସମ୍ପର୍କରେ ସୁଧାର ଆଣିବା ପାଇଁ ବୁଝାମଣା ହୋଇଥିବା ବେଳେ ଏହାର ମାତ୍ର କିଛି ଦିନ ପରେ ଚୁକ୍ତି ଅନୁଯାୟୀ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ନିକଟରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଛି।
ଏଲ୍ଏସିରୁ ଗୋଟିଏ ଲେଖାଏଁ ତମ୍ବୁ ଓ କିଛି ଅସ୍ଥାୟୀ କୋଠା ଉଚ୍ଛେଦ କରାଯାଇ ଭାରତୀୟ ସୈନିକମାନେ ଚାର୍ଡିଙ୍ଗ ନାଲ୍ଲାର ପଶ୍ଚିମ କୂଳ ଆଡକୁ ଓ ଚୀନ୍ ସୈନିକମାନେ ନାଲାର ପୂର୍ବ କୂଳ ଆଡ଼କୁ ପଛଘୁଞ୍ଚା ଦେଉଥିବା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ଚୀନ ଓ ଭାରତ ଉଭୟ ପାର୍ଶ୍ୱରେ ୧୦ରୁ ୧୨ଟି ଅସ୍ଥାୟୀ କୋଠା ଓ ୧୨ଟି ତମ୍ବୁ ରହିଥିବା ବେଳେ ଚୁକ୍ତି ଅନୁସାରେ ଏହାକୁ ଖୁବଶୀଘ୍ର ହଟାଇ ଦିଆଯିବ। ଏହି ପ୍ରକ୍ରିୟା ଗୁରୁବାର ଠାରୁ ଆରମ୍ଭ ହୋଇଥିବା ବେଳେ ଚୀନ୍ ସେନା ଏଲ୍ଏସି ଅଞ୍ଚଳରେ ଯାନବାହନ ସଂଖ୍ୟା ହ୍ରାସ କରିଥିବା ବେଳେ ଭାରତୀୟ ସେନା ମଧ୍ୟ କିଛି ସୈନିକଙ୍କୁ ପ୍ରତ୍ୟାହାର କରିଛି। ତେବେ ଏହି ପ୍ରକ୍ରିୟା ଶେଷ ହେବା ପରେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଡେପସାଙ୍ଗ ଓ ଡେମଚୋକରେ ପାଟ୍ରୋଲିଂ ଆରମ୍ଭ ହେବ ବୋଲି ଆଶା କରାଯାଉଛି।
ପ୍ରକାଶଥାଉ କି, ଗତ ଅକ୍ଟୋବର ୨୧ ତାରିଖରେ ଭାରତ ଓ ଚୀନ ମଧ୍ୟରେ ଏଲ୍ଏସିରେ ପାଟ୍ରୋଲିଂ କରିବା ପାଇଁ ଚୁକ୍ତି ହୋଇଥିଲା। ତେବେ ଏହି ସୈନ୍ୟ ପ୍ରତ୍ୟାହାର ଦେଶ ମଧ୍ୟରେ ଉଭୟ ଦେଶର ଉତ୍ତେଜନାପୂର୍ଣ୍ଣ ସମ୍ପର୍କରେ ସୁଧାର ଆଣିବ ବୋଲି ଆଶା କରାଯାଉଛି । କାଜାନରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ସାକ୍ଷାତ କରି ଚୁକ୍ତିକୁ ସମର୍ଥନ କରିଥିବା ସୂଚନା ମିଳିଛି। ତେବେ ଯଥାଶୀଘ୍ର ଡେପସାଙ୍ଗ ଓ ଡେମ୍ଚୋକ୍ ରେ ପାଟ୍ରୋଲିଂ ଆରମ୍ଭ ହେବ ସହ ଏବଂ ଉଭୟ ଦେଶ ସେମାନଙ୍କ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିବେ । ଏହାକୁ ସାମରିକ ଭାଷାରେ ଡିସପ୍ଲୋଏଜ୍ମେଣ୍ଟ କୁହାଯାଏ।