ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ପୁରୀ ଉପକୂଳ ଅତିକ୍ରମ କରିଛି। ଏହା ପ୍ରଭାବରେ ସାରା ରାଜ୍ୟରେ ବର୍ଷା ରହିଥିବା ବେଳେ ମଙ୍ଗଳବାର ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଭୀଷଣ ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୦ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି। ସେହିପରି ୧୨ଟି ଜିଲ୍ଲା ପାଇଁ ଅରେଞ୍ଜ ଏବଂ ୮ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି। ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଝାରସୁଗୁଡା, ବରଗଡ ଏବଂ ନୂଆପଡାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୪ଟି ଜିଲ୍ଲା ବଲାଙ୍ଗୀର, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼କୁ ସତର୍କତା ଜାରି କରାଯାଇଛି । ଗଭୀର ଅବପାତଟି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଏହି ସବୁ ଜିଲ୍ଲା ଦେଇ ଗତି କରୁଥିବାରୁ ପାଣିପାଗ ବିଭାଗରୁ ଆସନ୍ତା ୩ ଘଣ୍ଟା ପାଇଁ ଆଲର୍ଟ ଜାରି କରାଯାଇଛି। ସେହିପରି ଆସନ୍ତା ୨ ଦିନ ମଧ୍ୟରେ ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ ଦେଇ ଛତିଶଗଡ ମୁହାଁ ହେବ। ତେଣୁ ଏହା ପ୍ରଭାବରେ ଉପର ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସହ ବିଭିନ୍ନ ଶାଖା ନଦୀ ଫୁଲିବାର ଆଶଙ୍କା ରହିଛି । ସେହିପରି ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ନ ଯିବାକୁ ପରାମର୍ଶ ଦିଆଯାଇଛି ।
ଅପରପକ୍ଷରେ ସମ୍ଭାବ୍ୟ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ତଳିଆ ଅଞ୍ଚଳରେ ବର୍ଷା ପାଣି ଜମି ରହିବାର ସମ୍ଭାବନା ରହିଥିବାରୁ ଭୁବନେଶ୍ୱରରେ ଜଳ ନିଷ୍କାସନ ପାଇଁ ୩୦ଟି, ପୁରୀ ଓ କଟକରେ ୧୦ଟି ଲେଖାଏଁ ପମ୍ପ ଲଗାଇବାକୁ ଏସଆରସିଙ୍କ ପକ୍ଷରୁ ନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ଆବଶ୍ୟକସ୍ଥଳେ ପଦକ୍ଷେପ ଗ୍ରହଣ କରିବା ପାଇଁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢୀ ସମସ୍ତ ମହାନଗର ନିଗମର ଆୟୁକ୍ତଙ୍କ ସମେତ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି। ଏହା ସହ ନୋଡାଲ ଅଧିକାରୀମାନଙ୍କୁ ସଂପୃକ୍ତ ଜିଲାର ପୌରାଞ୍ଚଳଗୁଡିକର ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବା ସହ ତଦାରଖ କରିବାକୁ ନିର୍ଦେଶ ଦିଆଯାଇଛି।