ସିଡନି: ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ । ତେଣୁ ଶିକ୍ଷାକୁ ସମାବେଶୀ ଏବଂ ପୂର୍ଣ୍ଣାଙ୍ଗ କରିବା ନିମନ୍ତେ ଭାରତ ସରକାର ଜାତୀୟ ଶିକ୍ଷା ନୀତି ପ୍ରଚଳନ କରିଛନ୍ତି । ତଦନୁଯାୟୀ ଶିକ୍ଷା କ୍ଷେତ୍ରରେ ଅନେକ ସଂସ୍କାର ଅଣାଯାଇଛି ବୋଲି ଭାରତର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଅକ୍ଟୋବର ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଶ୍ରୀ ପ୍ରଧାନ ସିଡନିରେ ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଓ ଉଦ୍ୟମିତା ପରିଷଦର ଦ୍ୱିତୀୟ ବୈଠକରେ ଯୋଗଦେବା ଅବସରରେ କହିଛନ୍ତି, ତାଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ସହଯୋଗିତା, ଅଂଶଗ୍ରହଣ ଏବଂ ଦ୍ୱିିପାକ୍ଷିକ ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡିକରେ ସମ୍ମିଳିତ ପ୍ରୟାସକୁ ପ୍ରୋତ୍ସାହିତ କରିବା ଆଶା କରାଯାଉଛି । ଶ୍ରୀ ପ୍ରଧାନଙ୍କ ସହିତ ଉକ୍ତ ବୈଠକରେ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଜାସନ କ୍ଲେୟାର ଏବଂ ଉଦ୍ୟମିତା ମନ୍ତ୍ରୀ ଆଣ୍ଡି୍ରୟୁ ଗାଇଲ୍ସ ଉପସ୍ଥିତ ଥିଲେ ।
ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରାଧାନ୍ୟ ଦେଇ କହିଥିଲେ ଯେ ଶିକ୍ଷା ଓ ଉଦ୍ୟମିତାର ବିକାଶ ଦ୍ୱାରା ତାହା ଅର୍ଥନୈତିକ ସମୃଦ୍ଧିକୁ ଉଭୟ ରାଷ୍ଟ୍ର ପାଇଁ ଆଗେଇ ନେବ ଏବଂ ସେମାନଙ୍କର ଶିକ୍ଷା ପ୍ରତିଷ୍ଠାନଗୁଡିକ ମଧ୍ୟରେ ସମ୍ପର୍କକୁ ସୁଦୃଢ କରିବ । ବୈଠକରେ ଭବିଷ୍ୟତର ଲୋକଶକ୍ତି ଆବଶ୍ୟକତା, କୋ÷ଶଳତା କ୍ଷେତ୍ରରେ ରହିଥିବା ତାରତମ୍ୟ ଦୂରୀକରଣ ଏବଂ ଦୁଇ ଦେଶ ମଧ୍ୟରେ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡିକ ମଧ୍ୟରେ ଗବେଷଣା ସହଭାଗିତାକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ସେ ଆଶା ପ୍ରକାଶ କରିଥିଲେ ଯେ ଏହି ବୈଠକ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ସ୍କୁଲ, କୋ÷ଶଳତା ଏବଂ ଉଚ୍ଚଶିକ୍ଷା ଆଦି ଶିକ୍ଷାର ସମସ୍ତ ସ୍ତରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜଭୁତ କରିବ । ଶ୍ରୀ ପ୍ରଧାନ ଏହି ଅବସରରେ ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଓ ଉଦ୍ୟମିତା ପରିଷଦର ପରବର୍ତ୍ତୀ ବୈଠକ ୨୦୨୫ରେ ଭାରତରେ ଆୟୋଜିତ ହେବ ବୋଲି ଘୋଷଣା କରିଥିଲେ ।