ନୂଆଦିଲ୍ଲୀ,୨୫ା୧୦: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି । ସେମାନଙ୍କର ସାକ୍ଷାତ କାଳରେ ଶ୍ରୀ ଅବଦୁଲ୍ଲା ଜମ୍ମୁ ଓ କାଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇ ଦେବାକୁ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ଜଣାଯାଇଛି । ଏ କ୍ଷେତ୍ରରେ କେନ୍ଦ୍ର ସରକାର ନିଷ୍ପତ୍ତି ନେବା ଏବଂ ତାଙ୍କ ସରକାର ସୁରୁଖୁରୁରେ କାର୍ଯ୍ୟ କରିବା ନିମନ୍ତେ କେନ୍ଦ୍ର ସରକାର ସହଯୋଗ କରିବାକୁ ଦୃଷ୍ଟି ଆକର୍ଷଣ କରିଛନ୍ତି । ସୂଚନାଯୋଗ୍ୟ ଯେ ଏହି ସାକ୍ଷାତ ଅବସରରେ ଜମ୍ମୁ ଓ କାଶ୍ମୀରର ନବଗଠିତ ବିଧାନସଭାରେ ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ ନିମନ୍ତେ ଗୃହୀତ ପ୍ରସ୍ତାବ ସମ୍ପର୍କରେ ଓମାର ଅବଗତ କରାଇଛନ୍ତି ।
ଜମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାପରେ ଓମାରଙ୍କର ଏହା ପ୍ରଥମ ନୂଆଦିଲ୍ଲୀ ଗସ୍ତ ହୋଇଥିବାବେଳେ ତାଙ୍କ କ୍ୟାବିନେଟରେ ଗତ ସପ୍ତାହରେ ଗୃହୀତ ନିଷ୍ପତ୍ତିର ଏକ ନକଲ ସେ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ଅବଦୁଲ୍ଲା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟି ତାଙ୍କ ସହିତ ଜମ୍ମୁ ଓ କାଶ୍ମୀରର ନିରାପତ୍ତା ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ରାଜନାଥ ମଧ୍ୟ ‘ଏକ୍ସ’ରେ ପୋଷ୍ଟକରି କହିଛନ୍ତି ଯେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ କ୍ଷମତାସୀନ ଏନଡିଏ ସରକାର ଜମ୍ମୁ ଓ କାଶ୍ମୀରର ପ୍ରଗତି ନିମନ୍ତେ ଓମାରଙ୍କ ସହିତ ମିଶି କାର୍ଯ୍ୟ କରିବାକୁ ଆଗ୍ରହୀ ଅଛି । ଏକ ସୂତ୍ରରୁ କୁହାଯାଇଛି ଯେ ରାଜନାଥ ଏବଂ ଓମାରଙ୍କ ମଧ୍ୟରେ ପ୍ରାୟ ୨୦ରୁ ୨୫ ମିନିଟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ଏକ ସୋଜନ୍ୟମୂଳକ ସାକ୍ଷାତ ଥିଲା । ଓମାର କୋ÷ଣସି ଦାବି ନେଇ ଆସିନଥିଲେ । ଏହା କେବଳ ଜମ୍ମୁ ଓ କାଶ୍ମୀର ସରକାରଙ୍କୁ ସୁରୁଖୁରୁରେ କାର୍ଯ୍ୟ କରିବା ନିମନ୍ତେ କେନ୍ଦ୍ର ସମର୍ଥନ ଦେବା ଉପରେ ଉଦ୍ଦିଷ୍ଟ ଥିଲା । ଅନୁରୂପ ଭାବରେ ପ୍ରଧାନମନ୍ତ୍ରୀଙ୍କ ସହିତ ଓମାରଙ୍କର ପ୍ରାୟ ଅଧଘଣ୍ଟାଏ ବୈଠକ ହୋଇଥିଲା । ଏହି ଅବସରରେ ଓମାର ପ୍ରଧାନମନ୍ତ୍ରୀଙ୍କୁ ଏକ ଫୁଲତୋଡା ଏବଂ ଏକ କାଶ୍ମିରୀ ଶାଲ୍ ଉପହାର ଆକାରରେ ପ୍ରଦାନ କରିଥିଲେ । ତାହା ପୂର୍ବରୁ ଓମାର ଅବଦୁଲ୍ଲା ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଅନୁରୂପ ଆଲୋଚନା କରିଥିଲେ । କେନ୍ଦ୍ରର ସମସ୍ତ ନେତୃବୃନ୍ଦ ତାଙ୍କୁ ଜମ୍ମୁ ଓ କାଶ୍ମୀରର ସର୍ବାଙ୍ଗୀନ ବିକାଶ ନିମନ୍ତେ କେନ୍ଦ୍ର ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିବା ଜଣାଯାଇଛି ।