ନୂଆଦିଲ୍ଲୀ,୨୫ା୧୦: ଦେଶରେ ମହାକାଶ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ୧ହଜାର କୋଟି ଟଙ୍କାର ଏକ ଭେଞ୍ଚର ପାଣ୍ଠି ସୃଷ୍ଟି କରିଛନ୍ତି । କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହାଦ୍ୱାରା ମହାକାଶ ପ୍ରଯୁକ୍ତି, ଉପଗ୍ରହ ଆପ୍ଲିକେସନ୍ସ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ନୂତନ ଯୁଗାନ୍ତକାରୀ ଚିନ୍ତାଧାରାଗୁଡିକର ପରିପୋଷଣ କରାଯାଇପାରିବ । ଫଳରେ ଏହି କ୍ଷେତ୍ରରେ ଷ୍ଟାର୍ଟଅପଗୁଡିକୁ ପ୍ରୋତ୍ସାହିତ କରାଯାଇପାରିବ । ଏହା ମଧ୍ୟ ମହାକାଶ ପ୍ରଯୁକ୍ତି ଏବଂ ଆପ୍ଲିକେସନ୍ସରେ ନବସୃଜନ ତଥା ଔଦ୍ୟୋଗିକତାକୁ ଉଲ୍ଲେଖନୀୟ ଭାବରେ ପୃଷ୍ଠପୋଷକତା ଯୋଗାଇଦେବ ।
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଭାରତର ନବସୃଜନ ଏବଂ ଷ୍ଟାର୍ଟଅପ ପରିବ୍ୟବସ୍ଥା ଉପରେ ନୀତିସମୂହଗୁଡିକ ସମ୍ପର୍କରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି ଯେ ଭାରତରେ ସମ୍ପ୍ରତି ୧୦୦ରୁ ଅଧିକ ୟୁନିକର୍ନ ରହିଛି, ଯାହା ଅନେକ ବିତ୍ତଶାଳୀ ୟୁରୋପୀୟ ସଂଘ ରାଷ୍ଟ୍ରଗୁଡିକୁ ମଧ୍ୟ ଅତିକ୍ରମ କରିଯାଇଛି । ବିଶେଷକରି ମହାକାଶ କ୍ଷେତ୍ର ଅଭିବୃଦ୍ଧି କ୍ଷେତ୍ରରେ ବିଶାଳ ଲମ୍ଫ ଦେବାକୁ ଯାଉଛି ଏବଂ ଏହି ନୂଆ ପାଣ୍ଠି ସୃଷ୍ଟି ଏହି ଉଚ୍ଚ ପ୍ରଯୁକ୍ତିସମ୍ପନ୍ନ କ୍ଷେତ୍ରରେ ଯୁବବର୍ଗଙ୍କ ନିମନ୍ତେ ଅଧିକ ସୁଯୋଗ ସୃଷ୍ଟି ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ପ୍ରାରମ୍ଭିକ ଅବସ୍ଥାରେ ଏହି ପ୍ରୟାସ ଦ୍ୱାରା ୩୦ରୁ ୪୦ଟି ଷ୍ଟାର୍ଟଅପ୍କୁ ସମର୍ଥନ ଯୋଗାଇଦେବା ଲକ୍ଷ୍ୟ ରହିଛି । ସରକାର ଆର୍ଥିକ ସମର୍ଥନ ଏବଂ ମାର୍ଗଦର୍ଶନ ପ୍ରଦାନ କରି ପ୍ରଗତିଶୀଳ ମହାକାଶ ଷ୍ଟାର୍ଟଅପଗୁଡିକ ନିମନ୍ତେ ଚିନ୍ତାଧାରାର ବିକାଶ ଏବଂ ବଜାର ପ୍ରସ୍ତୁତି ମଧ୍ୟରେ ରହୁଥିବା ତାରତମ୍ୟ୍ୟ ଦୂର କରିବା ଲକ୍ଷ୍ୟ ରଖିଛନ୍ତି । ତାହାସହିତ ଏହା ଆତ୍ମନିର୍ଭରଶୀଳତାକୁ ପୃଷ୍ଠପୋଷକତା ଯୋଗାଇ ଏବଂ ଏକ ଦକ୍ଷ ନବସୃଜନ ପରିବ୍ୟବସ୍ଥା ସୃଷ୍ଟି କରି ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ସମର୍ଥନ କରୁଛି । ଅର୍ଥନୈତିକ ଅଭିବୃଦ୍ଧିକୁ ଆଗେଇନେବା, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ମହାକାଶ କ୍ଷେତ୍ର ନିମନ୍ତେ ଦୀର୍ଘାବଧି ନିରନ୍ତରତା ସୁନିଶ୍ଚିତ କରିବାକୁ ଏହି ଆଭିମୁଖ୍ୟ ଡିଜାଇନ କରାଯାଇଛି ।