ଭୁବନେଶ୍ୱର,ତା ୨୫ା୧୦(ବ୍ୟୁରୋ): ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି ଝାରପଡ଼ା ସ୍ଥିତ ସ୍ୱତନ୍ତ୍ର କାରାଗାର। ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ଥାଇ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଆସୁଥିବା କଏଦୀମାନେ ଜେଲରେ ମଧ୍ୟ ସେମାନଙ୍କ ଆତଙ୍କରାଜ ଭିଆଉଛନ୍ତି। କେତେବେଳେ ଜେଲ ମଧ୍ୟରେ ରହୁଥିବା କଏଦୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରୁଛନ୍ତି ତ ପୁଣିକେତେ ବେଳେ ଜେଲର ଚାରିକାନ୍ଥ ଭିତରେ ଛୁରୀ ଦେଖାଇ ଦାଦାବଟି ମାଗିବାର ଭିଡ଼ିଓ ଭାଇରାଲ କରି ଲୋକଙ୍କୁ ଧମକାଉଛନ୍ତି। ଏହାରି ମଧ୍ୟରେ ଶୁକ୍ରବାର ଜେଲ ଭିତରେ ଏକ ବଡ଼ଧରଣର ଅଘଟଣ ଘଟିଛି। ଭିନ୍ନିଭିନ୍ନ ଅପରାଧୀକ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜେଲ ଆସିଥିବା ୫ ଜଣ ଅପରାଧୀ ଜେଲ ମଧ୍ୟରେ ଜଣେ ୱାର୍ଡରଙ୍କୁ ଆକ୍ରମଣ କରିଥିବା ବେଳେ ୱାର୍ଡରଙ୍କୁ ରକ୍ଷା କରିବାକୁ ଯାଇଥିବା ଜେଲର ପ୍ରସନ୍ନ ସାହୁଙ୍କୁ ମରଣାନ୍ତ୍ରକ ଆକ୍ରମଣ କରିବା ସହ ତାଙ୍କ ହାତକୁ କାଟି ଦେଇଥିଲେ। ଏପରିକି କଏଦୀମାନେ ପାଖରେ ପଡ଼ିଥିବା ଏକ ପଥର ଉଠାଇ ଜେଲରଙ୍କୁ ଜୀବନରୁ ମାରି ଦେବାକୁ ଚେଷ୍ଟା କରୁଥିବା ବେଳେ ଜଣେ ୱାର୍ଡର ଜେଲର ଆଲାରାମ ବଜାଇ ଦେବାରୁ ଘଟଣାସ୍ଥଳରେ ସମସ୍ତ ୩୫ ଜଣ ୱାର୍ଡର ଓ ସୁପରିଟେଣ୍ଡଣ୍ଟ ଏକାଠି ହୋଇଯିବାରୁ ଜେଲର ଅଳ୍ପକେ ବର୍ତ୍ତୀଥିଲେ। ପରବର୍ତ୍ତୀ ସମୟରେ ଗୁରୁତର ଜେଲରଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ଏନେଇ ଜେଲର ସୁପରିଟେଣ୍ଡଣ୍ଟ ମନମୋହନ ପ୍ରତିହାରୀଙ୍କ ଅଭିଯୋଗକ୍ରମେ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ରୁଜୁ ହୋଇଛି।