ଭୁବନେଶ୍ୱର: ଶୁକ୍ରବାର ଓଡ଼ିଶା ଉପକୂଳରେ ଭୀଷଣ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ କରିଥିବା ବେଳେ ଶନିବାର ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ବର୍ତ୍ତମାନ ଏହା ଉତ୍ତର ଓଡ଼ିଶାରେ ସକ୍ରିୟ ରହିଥିବା ବେଳେ ଭଦ୍ରକରୁ ୫୦ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ଓ କେନ୍ଦୁଝରରୁ ୭୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି। ତେବେ ଏହି ଅବପାତ ଶନିବାର ସନ୍ଧ୍ୟା ସୁଦ୍ଧା ଉତ୍ତର ପଶ୍ଚିମ ଦିଗରେ ଓଡ଼ିଶା ଦେଇ ଅତିକ୍ରମ କରିବା ସହ ଆହୁରି ଦୁର୍ବଳ ପଡ଼ି ‘ୱେଲ୍ ମାର୍କଡ ଲୋ ପ୍ରେସର’ରେ ପରିଣତ ହେବ।
ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ଜାରି ରହିଥିବା ବେଳେ ଶନିବାର ପାଇଁ ୪ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଦେଇଛି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜ। ତେବେ ଏହି ସମୟରେ ଏସବୁ ଜିଲ୍ଲାର ପ୍ରାୟ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବା ନେଇ ସମ୍ଭାବନା ରହିଛି । ସେହିପରି ନୟାଗଡ଼, ବୌଦ୍ଧ, ସୋନପୁର, ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେଓଗଡ଼, ଗଞ୍ଜାମ, କନ୍ଧମାଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରାଜ୍ୟରେ ବର୍ଷାର ପ୍ରଭାବ ରହିବା ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।