ଦିନକୁ ଦିନ ମଧ୍ୟପ୍ରାଚ୍ୟର ସ୍ଥିତି ସଂଗୀନ ହେବାରେ ଲାଗିଛି । ଶନିବାର ଭୋର ସମୟରେ ଇସ୍ରାଏଲ ଇରାନ ଉପରେ ଅଚାନକ ଆକ୍ରମଣ କରିଥିବା ସୂଚନା ମିଳିଛି । ନିକଟରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ପ୍ରତିଆକ୍ରମଣର ଧମକ ଦେଇଥିବା ଇସ୍ରାଏଲ ପକ୍ଷରୁ ଆକ୍ରମଣ ଆରମ୍ଭ ହୋଇଯାଇଛି। ଇସ୍ରାଏଲ ପକ୍ଷରୁ ୩ଟି ପର୍ଯ୍ୟାୟରେ ଆକ୍ରମଣ କରାଯାଇଛି। ପ୍ରଥମେ ଆଇଡିଏଫ ଇରାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଟାର୍ଗେଟ କରିଥିବା ବେଳେ ୨ୟ ଏବଂ ୩ୟ ପର୍ଯ୍ୟାୟରେ କ୍ଷେପଣାସ୍ତ୍ର, ଡ୍ରୋନ ଠିକଣା ଏବଂ ଅସ୍ତ୍ରଶସ୍ତ୍ର ଉତ୍ପାଦନ କେନ୍ଦ୍ରକୁ ଲକ୍ଷ୍ୟ କରି ଆକ୍ରମଣ କରିଥିଲା। ଆକ୍ରମଣ ସମୟରେ ଜୋର୍ଡାନ, ଇରାକ ଏବଂ ସିରିୟା ଉପରେ ଇସ୍ରାଏଲ ଯୁଦ୍ଧ ବିମାନ ଉଡ଼ୁଥିବା ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ ଯେ, ପୂର୍ବରୁ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିବା ନେଇ ଧମକ ଦେଇଥିବା ସତ୍ତ୍ୱେ କେବେ ଆକ୍ରମଣ କରିବ ସେନେଇ ଘୋଷଣା କରି ନ ଥିଲା। କିନ୍ତୁ ଶନିବାର ଭୋର ସମୟରେ ଇରାନର ଏକାଧିକ ସହରରେ ଇସ୍ରାଏଲ ଆକାଶ ମାର୍ଗରୁ ରକେଟ୍ ମାଡ଼ କରିଛି । ୧୦୦ରୁ ଅଧିକ ଯୁଦ୍ଧ ବିମାନ ଦ୍ୱାରା ହୋଇଥିବା ଏହି ଆକ୍ରମଣ ହୋଇଥିବା ବେଳେ ଏଥିରେ ୨ ଜଣ ଇରାନୀ ସୈନ୍ୟଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଇରାନର ଏକ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଧ୍ବଂସ ହୋଇଥିବା ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ) ପକ୍ଷରୁ ଦାବି ହୋଇଛି।
ଅପରପକ୍ଷରେ ଇରାନ ପକ୍ଷରୁ ଯଦି ଇସ୍ରାଏଲ ଉପରେ ଆକ୍ରମଣ ହୁଏ ତେବେ ଏଥିରେ ଅନ୍ୟ ଦେଶଗୁଡ଼ିକ ମଧ୍ୟ ସାମିଲ ହେବା ସମ୍ଭାବନା ରହିଥିବା ପ୍ରତିରକ୍ଷା ବିଶେଷଜ୍ଞଙ୍କ ମାନେ ମତପ୍ରକାଶ କରୁଛନ୍ତି । ଏପରି ହେଲେ ସାରା ବିଶ୍ଵ ୩ୟ ବିଶ୍ଵଯୁଦ୍ଧ ଆଡକୁ ଅଗ୍ରସର ହେବ ବୋଲି ମତ ପ୍ରକାଶ ପାଇଛି।