ବେଙ୍ଗାଲୁରୁ: ଖୁବଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି ପ୍ରଥମ ସ୍ୱଦେଶୀ ବିଦ୍ୟୁତ ଚାଳିତ ସାଟେଲାଇଟ୍ । ଏନେଇ ଶନିବାର ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ୍ ସୋମନାଥ । ଆକାଶବାଣୀ ପକ୍ଷରୁ ଅନୁଷ୍ଠିତ ସର୍ଦ୍ଦାର ମେମୋରିଆଲ ଲେକ୍ଚର ଅବସରରେ ଏହି ଘୋଷଣା କରିଛନ୍ତି ସୋମନାଥ । ଦେଶର ପ୍ରଥମ ସ୍ୱଦେଶୀ ବିଦ୍ୟୁତ ଚାଳିତ ସାଟେଲାଇଟ୍ ଟିଡ଼ିଏସ-୦୧ ସମ୍ପୂର୍ଣ୍ଣ ଭାବେ ଭାରତରେ ପ୍ରସ୍ତୁତ ହୋଇଥିବା ବେଳେ ଏହାକୁ ଡିସେମ୍ବର ସୁଦ୍ଧା ଲଞ୍ଚ କରାଯିବା ନେଇ କହିଛନ୍ତି ଇସ୍ରୋ ମୁଖ୍ୟ ।
କାର୍ଯ୍ୟକ୍ରମ ଅବସରରେ ଇସ୍ରୋ ପକ୍ଷରୁ ସ୍ପେସ ବାୟୋଟେକ୍ ଗବେଷଣା ପାଇଁ ବାୟୋଟେକ୍ନୋଲୋଜି ବିଭାଗ ସହ ଏମଓୟୁ ହୋଇଥିବା ସୂଚନା ଦେଇଥିନ୍ତି ସୋମନାଥ । ଏହାଦ୍ୱାରା ମହାକାଶବିଜ୍ଞାନ ଓ ବାୟୋଟେକ୍ନୋଲୋଜି ଗବେଷଣାରେ ସହଯୋଗ ପାଇଁ ଉଭୟଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା କହିଛନ୍ତି । ଏହି ଅବସରରେ ସେ କହିଛନ୍ତି, ‘ ମହାକାଶ ଅଭିଯାନରେ ମହାକାଶଚାରୀଙ୍କ ପାଇଁ ପୋଷକ ତତ୍ତ୍ୱର ଉପଲବ୍ଧତା, ଖାଦ୍ୟ ସଂରକ୍ଷଣ, ବିକିରଣ ଏବଂ କର୍କଟ, ମୋତିଆବିନ୍ଦୁ, ହାଡ଼, ମାଂସପେଶୀ କ୍ଷୟ ଭଳି ସ୍ୱାସ୍ଥ୍ୟ ସମସ୍ୟା ସବୁଠାରୁ ବଡ଼ ଆହ୍ୱାନ ହୋଇଥିବା ବେଳେ ଏହି ସମସ୍ୟାର ସମାଧାନ ପାଇଁ ବାୟୋଟେକ୍ନୋଲୋଜି ବିଭାଗ ଓ ଇସ୍ରୋ ମିଳିତ ଭାବେ ଗବେଷଣା କରିବେ। ଏହି ଗବେଷଣା ଦ୍ୱାରା ଗଗନଯାନରେ ମହାଶୂନ୍ୟକୁ ଯିବାକୁ ଥିବା ମହାକାଶଚାରୀଙ୍କ ପାଇଁ ସହାୟକ ହେବ।’
ଅପରପକ୍ଷରେ, ୨୦୨୮ ମସିହାରେ ଚନ୍ଦ୍ରାଯାନ-୪ର ଲଞ୍ଚ ଏବଂ ଜାପାନ ସହ ମିଳିତ ଭାବେ ଚନ୍ଦ୍ରାଯାନ-୫ ଲଞ୍ଚ କରିବାକୁ ଯୋଜନା ଥିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ । ତେବେ ୨୦୪୦ ସୁଦ୍ଧା ଭାରତ ଚନ୍ଦ୍ରକୁ ମାନବ ପ୍ରେରଣ ନେଇ ଲକ୍ଷ୍ୟ ରଖିଥିବା କହିଛନ୍ତି ଏସ. ସୋମନାଥ ।