ତାଇପେଇ: ନିକଟରେ ଆମେରିକା ପକ୍ଷରୁ ତାଇୱାନକୁ ୨ ବିଲିୟନ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ସହିତ ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଯୋଗାଣକୁ ମଂଜୁର କରିଛି। ତେବେ ଆମେରିକାର ଏହି ପଦକ୍ଷେପକୁ ନେଇ ଚୀନ୍ ଅସନ୍ତୁଷ୍ଟ ହେବା ସମ୍ଭାବନା ଥିବା ଚର୍ଚ୍ଚା ଜୋର ଧରିଛି। ତେବେ ଭବିଷ୍ୟତରେ ଏହା ଚୀନ୍ ପାଇଁ ବଡ଼ ବିପଦ ସୃଷ୍ଟି କରିବ ବୋଲି କୁହାଯାଉଛି। ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଯୋଗାଣ କରୁଥିବା ନାସାମସ୍ର ସମ୍ପୂର୍ଣ୍ଣ ନାମ ନ୍ୟାସନାଲ୍ ଆଡଭାନ୍ସଡ୍ ସର୍ଫେସ୍ ଟୁ ଏୟାର ମିସାଇଲ୍ ସିଷ୍ଟମ୍ ହୋଇଥିବା ବେଳେ ପୂର୍ବରୁ ଏହା ପ୍ରତିରକ୍ଷା ପ୍ରଣାଳୀ ୟୁକ୍ରେନରେ ରୁଷିଆ ବିରୁଦ୍ଧରେ ବିପୁଳ ଶକ୍ତି ପ୍ରଦର୍ଶନ କରିଥିଲା।
ସୂଚନାଯୋଗ୍ୟ ଯେ, ତାଇୱାନର ନୂତନ ରାଷ୍ଟ୍ରପତି ଲାଇ ଚିଙ୍ଗ ତେଙ୍ଗଙ୍କ ନେତୃତ୍ୱରେ ତାଇୱାନ ନିଜର ପ୍ରତିରକ୍ଷା ଶକ୍ତି ବୃଦ୍ଧି ଦିଗରେ କାର୍ଯ୍ୟ ଜାରି ରଖିଛି। କାରଣ ଚୀନ୍ ପକ୍ଷରୁ ତାଇୱାନକୁ ନିଜର ଅଂଶବିଶେଷ ବୋଲି ଦାବି କରି ଏହା ବିରୁଦ୍ଧରେ ସାମରିକ ଦକ୍ଷତା ବୃଦ୍ଧି କରୁଛି। ଗତ ସପ୍ତାହରେ ବେଜିଂ ପକ୍ଷରୁ ତାଇୱାନ ଉପକୂଳରେ ଦ୍ୱିତୀୟ ଥର ପାଇଁ ସାମରିକ ଅଭ୍ୟାସ କରାଯାଇଥିବା ଦେଖିବାକୁ ମିଳିଥିଲା। ଲାଇ ଚିଙ୍ଗ ଗତ ମେ’ ମାସରେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଚୀନ୍ ତାଙ୍କୁ ଚେତାବନୀ ଦେବା ପାଇଁ ଏପରି କରିଥିବା ସୂଚନା ପ୍ରକାଶ ପାଇଥିଲା ।
ଅପରପକ୍ଷରେ ଆମେରିକା-ତାଇୱାନ ପ୍ରତିରକ୍ଷା ଚୁକ୍ତିକୁ ନେଇ ତାଇୱାନ ରାଷ୍ଟ୍ରପତିଙ୍କ ମୁଖପାତ୍ର କରିନା କୁଓ କହିଛନ୍ତି ଯେ, ତାଇୱାନର ଆତ୍ମରକ୍ଷା କ୍ଷମତାକୁ ମଜବୁତ କରିବା ସହିତ ଆଞ୍ଚଳିକ ସ୍ଥିରତା ବଜାୟ ରଖିବା ପାଇଁ ଏକ ମୂଳଦୁଆ ଅଟେ। ସେହିପରି ଆମେରିକାର ବୈଦେଶିକ ବିଭାଗର ରାଜନୈତିକ-ସାମରିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ‘ସମ୍ଭାବ୍ୟ ଅସ୍ତ୍ରଶସ୍ତ୍ର ବିକ୍ରୟ ଚୁକ୍ତିରେ ୩ଟି ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ପ୍ରଣାଳୀ ଏବଂ ଆନୁଷଙ୍ଗିକ ଉପକରଣ ଅନ୍ତର୍ଭୁକ୍ତ, ଯାହାର ମୂଲ୍ୟ ୧.୧୬ ବିଲିୟନ ଡ଼ଲାର ଅଟେ। ଏହି ଚୁକ୍ତିରେ ଆନୁମାନିକ ୮.୨୮ ମିଲିୟନ ଡ଼ଲାର ମୂଲ୍ୟର ରାଡାର ସିଷ୍ଟମ ମଧ୍ୟ ଅନ୍ତର୍ଭୁକ୍ତ।’
ତେବେ ଏହି ପରିପ୍ରେକ୍ଷୀରେ ଆମେରିକାର ସରକାରୀ ସୂତ୍ର ପ୍ରକାଶ କରିଛି ଯେ, ତାଇୱାନ ପାଇଁ ନାସାମସ୍ ଏକ ନୂତନ ଅସ୍ତ୍ର ହୋଇଥିବା ବେଳେ ଏହା ବର୍ତ୍ତମାନ କେବଳ ଅଷ୍ଟ୍ରେଲିଆ ଏବଂ ଇଣ୍ଡୋନେସିଆ ହିଁ ବ୍ୟବହାର କରୁଛନ୍ତି। ତେବେ ଚୁକ୍ତି ପରେ ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାକୁ ସ୍ୱାଗତ କରିବା ସହ ୟୁକ୍ରେନରେ ନାସାମସ୍ର ପ୍ରମାଣିତ ବ୍ୟବହାରକୁ ଉଲ୍ଲେଖ କରି ଚୀନ୍ର ବାରମ୍ବାର ସାମରିକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଏହା ତାଇୱାନର ବାୟୁ ପ୍ରତିରକ୍ଷା କ୍ଷମତାକୁ ବୃଦ୍ଧିରେ ସାହାଯ୍ୟ କରିବ ବୋଲି ସୂଚନା ଦେଇଛି।