ଭୁବନେଶ୍ୱର: ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ କରିଥିବା ଭୀଷଣ ବାତ୍ୟା ‘ଦାନା’ ରବିବାର ସକାଳ ସୁଦ୍ଧା ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିବା ସୂଚନା ଦେଇଥିଲା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ବର୍ତ୍ତମାନ ଏହା ଉତ୍ତର ଅଭନ୍ତରୀଣ ଓଡ଼ିଶାରେ ସକ୍ରିୟ ଥିବା ବେଳେ ଧୀରେ ଧୀରେ ଦୁର୍ବଳ ହେଉଥିବା ନେଇ ସୂଚନା ମିଳିଛି । ସୋମବାର ସନ୍ଧ୍ୟା ସୁଦ୍ଧା ଏହା ଆହୁରି ଦୁର୍ବଳ ହେବ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ଅଂଚଳରେ ସାମାନ୍ୟ ବର୍ଷା ହେବାକୁ ଥିବା ବେଳେ ଅନ୍ୟାନ୍ୟ ଅଂଚଳ ମୁଖ୍ୟତଃ ଶୁଖିଲା ରହିବ। ତେବେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମାଧ୍ୟମ ଧାରଣର ବର୍ଷା ହେବା ନେଇ ସୂଚନା ମିଳିଛି।
ଅପରପକ୍ଷରେ ରବିବାର ସକାଳ ସୁଦ୍ଧା ବାଲେଶ୍ୱରର ଔପଦାରେ ୨୪୦ ମିଲିମିଟର, ଭଦ୍ରକର ଧାମନଗରରେ ୨୧୫ ମିମି , ଖଇରାରେ ୨୦୯ ମିମି , ଭଣ୍ଡାରିପୋଖରୀରେ ୨୦୮ ମିମି , ଚଣ୍ଡିଖୋଲରେ ୭୬ ମିମି , ହାଟଡିହିରେ ୭୫ ମିମି , କେନ୍ଦ୍ରାପଡ଼ାରେ ୭୦ ମିମି ବର୍ଷା ରେକର୍ଡ ହୋଇଛି ।