ନୂଆଦିଲ୍ଲୀ: ଚେସ୍ ଅଲିମ୍ପିଆଡ୍ ଚାମ୍ପିଅନ୍ ତଥା ଭାରତୀୟ ଗ୍ରାଣ୍ଡମାଷ୍ଟର ଅର୍ଜୁନ ଏରିଗାଇସିଙ୍କ କ୍ୟାରିୟରରେ ଯୋଡି ହୋଇଛି ଆଉ ଏକ ରେକର୍ଡ । ସର୍ବକନିଷ୍ଠ ଭାରତୀୟ ଖେଳାଳି ଭାବେ ସେ ଲାଇଭ ଚେସ୍ ରେଟିଙ୍ଗରେ ୨୮୦୦ ଇଏଲ୍ଓ ରେଟିଂ ପଏଣ୍ଟ ଅତିକ୍ରମ କରି ଏହି ରେକର୍ଡ କରିଛନ୍ତି । ତେବେ ସେ ୫ ଥର ବିଶ୍ୱ ଚାମ୍ପିଅନ୍ ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ଏହି ସଫଳତା ଲାଭ କରିଛନ୍ତି । ସେଥିପାଇଁ ଏରିଗାଇସିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଅର୍ଜୁନଙ୍କୁ ତାଙ୍କର ଅସାଧାରଣ ଦକ୍ଷତା ଏବଂ ଦୃଢ଼ତା ବଳରେ ଭାରତକୁ ଗର୍ବିତ କରିଥିବାରୁ ପ୍ରଶଂସା କରିବା ସହ ଏହା ଅନେକ ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ।
ଏ ସମ୍ପର୍କରେ ମୋଦି ଏକ୍ସରେ ପୋଷ୍ଟ କରିଛନ୍ତି ଯେ, “ଲାଇଭ ଚେସ୍ ରେଟିଙ୍ଗରେ ୨୮୦୦ ମାର୍କ ଅତିକ୍ରମ କରିଥିବାରୁ ଅର୍ଜୁନ ଏରିଗାଇସିଙ୍କୁ ଶୁଭେଚ୍ଛା! ଏହା ଏକ ଅଭୂତପୂର୍ବ ସଫଳତା । ତାଙ୍କର ଅସାଧାରଣ ଦକ୍ଷତା ଏବଂ ଦୃଢ଼ତା ଆମର ସମଗ୍ର ରାଷ୍ଟ୍ରକୁ ଗର୍ବିତ କରିଛି । ଏହା ମଧ୍ୟ ବ୍ୟକ୍ତିଗତ ଭାବେ ଏକ ମାଇଲଖୁଣ୍ଟ । ଏହା ମଧ୍ୟ ଅନେକ ଯୁବ ପିଢ଼ିଙ୍କୁ ଚେସ୍ ଖେଳିବା ସହିତ ବିଶ୍ୱ ମଞ୍ଚରେ ସଫଳ ହେବାକୁ ପ୍ରେରଣା ଯୋଗାଇବ । ଭବିଷ୍ୟତର ସଫଳତା ପାଇଁ ତାଙ୍କୁ ବହୁତ ବହୁତ ଶୁଭେଚ୍ଛା ।”
ସୂଚନାଯୋଗ୍ୟ ଯେ, ଏରିଗାଇସି ଗତ ଚେସ୍ ଅଲିମ୍ପିଆଡ୍ରେ ଭାରତକୁ ଚାମ୍ପିଅନ୍ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ସେ ବ୍ୟକ୍ତିଗତ ଏବଂ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ତେବେ ଚଳିତ ବର୍ଷ ଆୟୋଜିତ ହୋଇଥିବା ୟୁରୋପିଆନ ଚେସ୍ କ୍ଲବ୍ କପ୍-୨୦୨୪ରେ ଆଲ୍କାଲୟଡ୍ ପକ୍ଷରୁ ଖେଳୁଥିବା ଅର୍ଜୁନ ଏରିଗାଇସି ପଞ୍ଚମ ରାଉଣ୍ଡ୍ରେ ରୁଷିଆର ଦିମିତ୍ରି ଆନ୍ଦ୍ରେଇକିନଙ୍କୁ ହରାଇ ୨୮୦୦ ଇଏଲ୍ଓ ରେଟିଂ ପଏଣ୍ଟ ଅତିକ୍ରମ କରିଥିଲେ । ଫିଡେ ମାନ୍ୟତା ତାଲିକା (କ୍ଲାସିକାଲ)ରେ ସେ ତୃତୀୟ ସ୍ଥାନରେ ଥିବାବେଳେ ତାଙ୍କ ରେଟିଂ ପଏଣ୍ଟ ୨୮୦୨.୧ ରହିଥିବା ବେଳେ ସେ ବିଶ୍ୱର ୧୬ତମ ଖେଳାଳି ଭାବେ ୨୮୦୦ ରେଟିଂ ପଏଣ୍ଟ ମାର୍କ ଛୁଇଁଛନ୍ତି ।
ଅପରପକ୍ଷରେ, ଅର୍ଜୁନଙ୍କ ପୂର୍ବରୁ ଫ୍ରାନ୍ସର ଅଲିରେଜା ଫଇରୌଜା ସର୍ବକନିଷ୍ଠ ଖେଳାଳି ଭାବେ ଏହି ରେକର୍ଡ କରିଥିଲେ। ସେହିପରି ଅନ୍ୟ ଭାରତୀୟ ଖେଳାଳି ଡି. ଗୁକେଶ ୨୮୦୦ ରେଟିଂ ପଏଣ୍ଟଠୁ ଆଉ ୬ପଏଣ୍ଟ ଦୂରରେ ରହିଛନ୍ତି । ସେ ଏବେ ଏହି ତାଲିକାରେ ପଞ୍ଚମ ସ୍ଥାନରେ ଅଛନ୍ତି ।