ନୂଆଦିଲ୍ଲୀ: ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଯୁବକ ଓ ବୃଦ୍ଧମାନଙ୍କୁ ଦୀପାବଳି ଭେଟି ଦେବାପାଇଁ ଯାଉଛନ୍ତି ଯାଉଛନ୍ତି। ନିଯୁକ୍ତି ମେଳା କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ସରକାରୀ ବିଭାଗ ଏବଂ ଅନୁଷ୍ଠାନରେ ମନୋନୀତ ପ୍ରାର୍ଥୀଙ୍କୁ ଯୋଗଦାନ ପତ୍ର ବଣ୍ଟନ କରିବେ। ପୂର୍ବାହ୍ନ ସାଢ଼େ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରିବା ସହିତ ୫୧ ହଜାରରୁ ଅଧିକ ମନୋନୀତ ପ୍ରାର୍ଥୀଙ୍କୁ ଯୋଗଦାନ ପତ୍ର ଦେବେ।
ଏହି କାର୍ଯ୍ୟକ୍ରମ ଅବସରରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ୭୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଯୋଜନାର ଶୁଭାରମ୍ଭ କରାଯିବ। ଏହି ସମୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୧୨,୮୫୦ କୋଟି ଟଙ୍କାର ଅନେକ ଯୋଜନାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ। ନିଯୁକ୍ତି ମେଳା ପାଇଁ ସାରା ଦେଶରେ ୪୦ଟି ସ୍ଥାନରେ ରୋଜଗାର ମେଳା ଆୟୋଜନ କରାଯାଇଥିବା ବେଳେ ଏଥିରେ ନୂଆ କର୍ମଚାରୀମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ଯଥା ରାଜସ୍ୱ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ଗୃହ ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଇତ୍ୟାଦିରେ ଯୋଗ ଦେବେ। ସେହିପରି ନୂତନ ନିଯୁକ୍ତି ପାଇଥିବା କର୍ମଚାରୀମାନେ ଆଇଜିଓଟି କର୍ମଯୋଗୀ ପୋର୍ଟାଲରେ ଉପଲବ୍ଧ ଅନ୍ଲାଇନ୍ ମଡ୍ୟୁଲ୍ ‘କର୍ମଯୋଗୀ ପ୍ରାରମ୍ଭ’ ମାଧ୍ୟମରେ ମୌଳିକ ତାଲିମ ପାଇବେ। ଆଇଜିଓଟି କର୍ମଯୋଗୀ ପୋର୍ଟାଲରେ ୧୪୦୦ରୁ ଅଧିକ ଇ-ଲର୍ଣ୍ଣିଂ ପାଠ୍ୟକ୍ରମ ଉପଲବ୍ଧ ରହିଥିବା ବେଳେ ଏହି ନୂତନ ନିଯୁକ୍ତି ସେମାନଙ୍କୁ ଏକ ବିକଶିତ ଭାରତ ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ଦକ୍ଷତା ପ୍ରଦାନ କରିବ।