ତିରୁଅନନ୍ତପୁରମ: ସୋମବାର ବିଳମ୍ବିତ ରାତିରେ କେରଳର କାସରଗୋଡ ଜିଲ୍ଲାର ନୀଳେଶ୍ୱରମ ନିକଟରେ ଥିବା ଏକ ମନ୍ଦିରରେ ବାଣ ପ୍ରଦର୍ଶନ ବେଳେ ଏକ ବଡ଼ଧରଣର ଅଘଟଣ ଘଟିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ପ୍ରାୟ ୧୫୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ଆହତମାନଙ୍କୁ କାସରଗୋଡ, କନ୍ନୁର ଏବଂ ମାଙ୍ଗାଲୁରୁର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୂଯାୟୀ, ସୋମବାର ବିଳମ୍ବିତ ରାତିରେ ଅଞ୍ଜୁତମ୍ବାଲମ ବୀରକାଭୁ ମନ୍ଦିରରେ ବାର୍ଷିକ କାଳିଆତମ ପର୍ବ ପାଳିତ ହେଉଥିଲା। ଏହି ପର୍ବ ପାଳନ ପାଇଁ ବାଣ ଫୁଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଏହି ବାଣଗୁଡିକୁ ଏକ ଷ୍ଟୋରହାଉସରେ ସୁରକ୍ଷିତ ରଖାଯାଇଥିବା ବେଳେ ରାତି ସାଢ଼େ ୧୨ଟାବେଳେ ହଠାତ୍ ଭଣ୍ଡାରରେ ବିସ୍ଫୋରଣ ହୋଇ ଗୋଟିଏ ପରେ ଗୋଟିଏ ବାଣଗୁଡିକ ଜଳିବାକୁ ଲାଗିଥିଲା। ତେବେ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଜିଲ୍ଲାପାଳ ଓ ଜିଲ୍ଲା ପୁଲିସ ମୁଖ୍ୟଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।
ତେବେ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବୀରକାଭୁ ମନ୍ଦିର ନିକଟରେ ଥିବା ଏକ ଦୋକାନରେ ନିଆଁ ଲାଗିବା ପରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା। ଭିଡ଼ରେ ଥିବା ଲୋକମାନେ ଏହି ନିଆଁର ଭିଡିଓ ତିଆରି କରିବା ଆରମ୍ଭ କରିଥିଲେ। କିନ୍ତୁ ନିଆଁ ବ୍ୟାପିବାରୁ ଏହା ଏତେ ଭୟଙ୍କର ଥିଲା ଯେ ଏଥିରେ ୧୫୦ରୁ ଅଧିକ ଲୋକ ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି।