ଥିରୁଅନନ୍ତପୁରମ: ସୋମବାର ସନ୍ଧ୍ୟାବେଳେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ। ତାଙ୍କ କାରକେଡ୍ ଜଣେ ମହିଳାଙ୍କୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣା ସମୟର ଏକ ଭିଡିଓ ଭାଇରଲ ହେବାରେ ଲାଗିଥିବା ବେଳେ ଏଥିରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଗାଡି ପଛକୁ ପଛ ଆସି ଧକ୍କା ହେଉଥିବା ଦେଖିବାକୁ ମିଳିଛି। ତେବେ ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ, ସୋମବାର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ କାରକେଡ୍ ଥିରୁଅନନ୍ତପୁରମ ଆଡ଼କୁ ଯାଉଥିବା ସମୟରେ ତାଙ୍କ କାରକେଡ୍ ଆଗରେ ଗୋଟିଏ ସ୍କୁଟିରେ ଯାଉଥିବା ଜଣେ ମହିଳା ହଠାତ୍ ଗାଡିର ଇଣ୍ଡିକେଟର ଦେଇ ଡାହାଣକୁ ଗାଡି ମୋଡିଥିଲେ । ଏହା ଯୋଗୁଁ ମହିଳାଙ୍କୁ ବଞ୍ଚାଇବାକୁ ଯାଇ ଆଗରେ ଯାଉଥିବା ଗାଡିରେ ହଠାତ୍ ବ୍ରେକ୍ ଲଗାଇବାରୁ ଏହି ସମୟରେ କାରକେଡର ଅନ୍ୟ ଗାଡ଼ିଗୁଡ଼ିକ ଦ୍ରୁତ ଗତିରେ ଆସୁଥିବାରୁ ହଠାତ ଅଟକିପାରିନଥିଲା। ସେଥିପାଇଁ ପଛକୁ ପଛ ଆସି ଗୋଟିଏ ପରେ ଗୋଟିଏ ୫ରୁ ଅଧିକ ଗାଡ଼ି ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ସମୟରେଘଟିଥିବା ସୂଚନା ମିଳିଛି । ଏହି ସମୟରେ ପୋଲିସ ଏସକର୍ଟ ମୁଖ୍ୟମନ୍ତ୍ରୀ ବିଜୟନଙ୍କ ଗାଡିର ପଛପଟରୁ ଧକ୍କା ଦେଇଥିଲା । ଏହା ପଛକୁ ପଛ ଗୋଟିଏ କମାଣ୍ଡୋ ଗାଡି ଓ ଗୋଟିଏ ଆମ୍ବୁଲାନ୍ସ ମଧ୍ୟ ଧକ୍କା ହୋଇଥିଲା । ପ୍ରକାଶଥାଉ କି, କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ କୋଟାୟମରୁ ଯାତ୍ରା ସାରି ରାଜଧାନୀକୁ ଫେରୁଥିବା ବେଳେ ଥିରୁଅନନ୍ତପୁରମର ପ୍ରାୟ ୧୫୦ କିମି ଦୂରରେ ଥିବା ବାମନପୁରମରେ ଏହି ଦୁର୍ଘଟଣା ଘଟିଥିଲା ।