ଜେରୁସେଲମ : ମଙ୍ଗଳବାର ପାଲେଷ୍ଟାଇନର ଗାଜା ଉପତ୍ୟକାସ୍ଥିତ ବିଟ୍ ଲାହିୟା ସହର ଉପରେ ଇସ୍ରାଏଲ ସେନା ବାହିନୀ ପକ୍ଷରୁ ଆକ୍ରମଣ କରାଯାଇଛି । ଏହି ଆକ୍ରମଣ ଯୋଗୁଁ ୯୩ ଜଣ ପାଲେଷ୍ଟାନୀୟଙ୍କ ପ୍ରାଣହାନୀ ହୋଇଥିବା ସୂଚନା ମିଳିଛି। ତେବେ ମୃତକଙ୍କ ମଧ୍ୟରେ ୨୦ ଶିଶୁ ଅନ୍ତର୍ଭୁକ୍ତ ଥିବା ସୂଚନା ମିଳିଛି। ଆହତ ହୋଇଥିବା ୧୫୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଏହି ଆକ୍ରମଣରେ ନିଖୋଜ ୪୦ ଜଣଙ୍କୁ ଠାବ କରିବାକୁ ଉଦ୍ୟମ ଜାରି ରହିଛି। ଏନେଇ ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏହି ଆକ୍ରମଣରେ ଇସ୍ରାଏଲ ପକ୍ଷରୁ ୪ ଜଣ ସୈନ୍ୟ ନିହତ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ପାଲେଷ୍ଟାଇନରେ ଇସ୍ରାଏଲ ସେନାବାହିନୀଙ୍କ ପକ୍ଷରୁ ହୋଇଥିବା ଆକ୍ରମଣର ଫୁଟେଜ ଜାରି ହୋଇଛି । ଏହି ଫୁଟେଜ ଅନୁଯାୟୀ ବୋମାମାଡରେ ଏକ ଚାରି ମହଲା ବିଶିଷ୍ଟ କୋଠାଘର ଭୁଶୁଡି ପଡିଥିବା ବେଳେ ଧ୍ୱଂସାବଶେଷ ତଳୁ ମୃତାହତଙ୍କୁ ଉଦ୍ଧାର କରାଯାଉଛି। ତେବେ ଏନେଇ ପାଲେଷ୍ଟାଇନର ଜରୁରୀ ସେବା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପାଲେଷ୍ଟାଇନର ଜାବାଲିଆ, ବିଟ୍ ଲାହିୟା ଏବଂ ବିଟ୍ ହାନୋନ୍ ଆଦି ସହରରେ ଖାଦ୍ୟ ଓ ଔଷଧ ନ ପାଇ ପ୍ରାୟ ୧ ଲକ୍ଷ ଲୋକ ଭୀଷଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ନିକଟସ୍ଥ କମଲ ଆଦୱାନ ହସ୍ପିଟାଲର ଡାକ୍ତରମାନଙ୍କୁ ସ୍ଥାନ ଛାଡି ଅନ୍ୟତ୍ର ପଳାଇବାକୁ କୁହାଯାଇଥିବାରୁ ଆହତଙ୍କ ଚିକିତ୍ସାରେ ବାଧା ଉପୁଜିଥିବା ସୂଚନା ମିଳିଛି। ପ୍ରକାଶଥାଉ କି, ୨୦୨୩ ମସିହା ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ୍ ମଧ୍ୟରେ ଲାଗିଥିବା ଯୁଦ୍ଧରେ ପ୍ରାୟ ୪୩ ହଜାର ଲୋକଙ୍କର ପ୍ରାଣହାନି ଘଟିଥିବାବେଳେ ଲକ୍ଷାଧିକ ଲୋକ ବାସଚ୍ୟୁତ ହୋଇଛନ୍ତି। ତେବେ ମୃତକ ମାନଙ୍କ ମଧ୍ୟରେ ଇସ୍ରାଏଲର ୧୨୦୦ ସୈନ୍ୟ ଓ ସାଧାରଣ ନାଗରିକ ହୋଇଥିବାବେଳେ ଅବଶିଷ୍ଟ ପାଲେଷ୍ଟାଇନ, ଲେବାନନ୍ ଓ ଇରାନ ନାଗରିକ ବୋଲି ଜଣାପଡିଛି। ନିକଟରେ ହମାସକୁ ସମ୍ପୂର୍ଣ୍ଣ ଭାବେ ଧ୍ବଂସ କରିବାକୁ ଇସ୍ରାଏଲ ପ୍ରତିଶ୍ରୁତିବଦ୍ଧ ହୋଇ ଯୁଦ୍ଧ ବନ୍ଦ କରୁନାହିଁ । ଏହା ସହିତ କୌଣସି ଆନ୍ତର୍ଜାତିକ ସଂଗଠନ କିମ୍ବା ବନ୍ଧୁ ରାଷ୍ଟ୍ରଙ୍କ ପରାମର୍ଶ ଗ୍ରହଣ କରୁନାହିଁ ଇସ୍ରାଏଲ।