ଭୁବନେଶ୍ୱର: ଗତ କିଛି ଦିନରୁ ରାଜ୍ୟରେ ଲଗାତାର ବର୍ଷ ହେଉଥିବା ବେଳେ ଆଗାମୀ ସପ୍ତାହେ ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ତେବେ ଏହା ଧୀରେଧୀରେ ଘନୀଭୂତ ହୋଇ ଏକ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ ନେଇ ଆକଳନ କରାଯାଉଛି । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ଆଇଏମଡି। ଆଇଏମଡି ପକ୍ଷରୁ ଜାରି ହୋଇଥିବା ପରିବ୍ୟାପ୍ତ ଆଉଟଲୁକରୁ ଏହି ସୂଚନା ମିଳିଛି । ଏନେଇ ପାଣିପାଗ ବିଶେଷଜ୍ଞ ସନ୍ଦୀପ ପଟ୍ଟନାୟକ କହିଛନ୍ତି ଯେ, ଆସନ୍ତା ନଭେମ୍ବର ୫ରୁ ୧୫ ତାରିଖ ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ତେବେ ଏହାର ପ୍ରଭାବରେ ନଭେମ୍ବର ଦ୍ବିତୀୟ ସପ୍ତାହ ବେଳକୁ ଉତ୍ତର ପଶ୍ଚିମ ଭାରତ, ଏଥିସହ କେନ୍ଦ୍ର ଓ ପୂର୍ବ ଭାରତରେ ତାପାମାତ୍ରା କମିବା ନେଇ ଆକଳନ ହୋଇଛି । କିନ୍ତୁ ଏହି ଲଘୁଚାପର ଆକାର ଓ ଦିଗ ତଥା ସାମୁଦ୍ରିକ ପରିବେଶ ସମ୍ପର୍କରେ ବିଶେଷ କିଛି ସ୍ପଷ୍ଟ ହୋଇ ନଥିବା ସୂଚନା ମିଳିଛି ।
ଅପରପକ୍ଷରେ ଶୁକ୍ରବାର ଟ୍ୱିନ ସିଟିରେ ବର୍ଷା ହେଉଥିବା ଦେଖିବାକୁ ମିଳିଛି । ସକାଳୁ ସକାଳୁ ଭୁବନେଶ୍ୱର ଓ କଟକରେ ପାଗ କୋହଲା ସମେତ ବର୍ଷା ହେଉଥିବା ଦେଖିବାକୁ ମିଳିଛି। ଆସନ୍ତା ତିନି ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହେବା ନେଇ ସୂଚନା ଦେଇଛି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।