ଫୁଲବାଣୀ: ଗୁରୁବାର କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ଦୁଇଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ୬ ଗୁରୁତର ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ମୃତକ ଦୁଇଜଣ ହେଲେ ମାଣ୍ଡିପଙ୍କା ଗ୍ରାମର ରୁନି ମାଝୀ, ରନିତା ପାଟମାଝୀ। ତେବେ ସମସ୍ତ ଅସୁସ୍ଥଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ (ଏମକେସିଜି)ରେ ଭର୍ତ୍ତି କରାଯାଇଛି। ସେହି ୬ ଗୁରୁତର ହେଲେ ପ୍ରଭାତୀ ମାଝୀ, ସୁସନା ମାଝୀ, ଜିତା ମାଝୀ, ଦ୍ରେଙ୍ଗାଲୁ ପାଟ ମାଝୀ, ଜୀବନ୍ତ ପାଟମାଝୀ ଓ ଟୁନି ମାଝୀ ।
ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲାସ୍ଥିତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆରୁ ଜାଉ ପ୍ରସ୍ତୁତ କରି ଖାଇଥିବା ବ୍ୟକ୍ତିମାନେ ହଠାତ ଅସୁସ୍ଥ ହୋଇପଡିଥିଲେ । ଗ୍ରାମବାସୀ ସେମାନଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ବ୍ରାହ୍ମଣୀଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଅନ୍ୟ ୭ ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଆମ୍ବୁଲାନ୍ସରେ ବ୍ରହ୍ମପୁର ସ୍ଥାନାନ୍ତର ହେଉଥିବା ବେଳେ ସେଥିମଧ୍ୟରୁ ଆଉ ଜଣେ ମହିଳା ମୃତ୍ୟୁ ହୋଇଥିଲା।