ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ଚେୟାରମ୍ୟାନ୍ ତଥା ଦେଶର ଜଣାଶୁଣା ବିଶିଷ୍ଟ ଅର୍ଥଶାସ୍ତ୍ରୀ ବିବେକ ଦେବରାୟ ଇହଲୀଳା ସମ୍ବରଣ କରିଛନ୍ତି । ଭାରତୀୟ ଅର୍ଥବ୍ୟବସ୍ଥା ପ୍ରତି ଗଭୀର ଅବଦାନ ଥିବା ବିବେକ ଦେବରାୟଙ୍କ ଶୁକ୍ରବାର ମାତ୍ର ୬୯ ବର୍ଷ ବୟସରେ ପରଲୋକ ଘଟିଛି । ଦେଶର ଆର୍ଥିକ ନୀତିକୁ ବିଶ୍ଳେଷଣ ତଥା ଆକାର ଦେବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ତେବେ ଦେବରାୟଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗଭୀର ଶୋକବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିବେକ ଦେବରାୟଙ୍କ ସମ୍ବନ୍ଧରେ ନିଜ ସୋସିଆଲ ଆକାଉଣ୍ଟରେ ଲେଖିଛନ୍ତି ଯେ, ‘ମୁଁ ଡକ୍ଟର ଦେବରାୟଙ୍କୁ ବହୁତ ବର୍ଷରୁ ଜାଣିଛି । ତାଙ୍କର ଜ୍ଞାନ ଏକାଧାରରେ ଅର୍ଥନୀତି, ରାଜନୀତି, ଇତିହାସ, ସଂସ୍କୃତି, ପୁସ୍ତକ ରଚନା ଆଦି କ୍ଷେତ୍ରରେ ପରିବ୍ୟାପ୍ତ ଥିବା ବେଳେ ମୁଁ ତାଙ୍କ ଅନ୍ତଦୃଷ୍ଟି ଏବଂ ଦେଶପାଇଁ ଥିବା ଅବଦାନକୁ ସବୁବେଳେ ମନେ ରଖିବି । ତାଙ୍କ ବିୟୋଗରେ ମୁଁ ଦୁଃଖିତ । ତାଙ୍କ ପରିବାର ପ୍ରତି ମୋର ସମବେଦନା ଜଣାଉଛି ।’
ସୂଚନାଯୋଗ୍ୟ ଯେ, ପୁଣେର ଗୋଖଲେ ରାଜନୀତି ଏବଂ ଅର୍ଥନୀତି ସଂସ୍ଥାନରେ କୁଳାଧିପତି ଭାବେ କାର୍ଯ୍ୟ କରିଥିବା ବିବେକ ଦେବରାୟ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ୨୦୧୯ ମସିହା ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ସେ ନୀତି ଆୟୋଗର ସଦସ୍ୟ ଥିବା ବେଳେ ଜୀବନକାଳ ମଧ୍ୟରେ ସେ ଅନେକ ପୁସ୍ତକ ରଚନା ସହିତ କିଛି ପୁସ୍ତକର ସମ୍ପାଦନା ମଧ୍ୟ କରିଛନ୍ତି ।