କେନ୍ଦୁଝର: ଗୁରୁବାର ନିଜ ଜନ୍ମମାଟି କେନ୍ଦୁଝର ରାଇକଳାରେ ଦୀପାବଳି ପାଳିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ଚରଣ ମାଝୀ ପ୍ରଥମ ଥର ପାଇଁ ଗାଁ ଲୋକଙ୍କ ସହ ମିଶି ଦୀପାବଳି ପାଳିଛନ୍ତି। ୨ ଦିନିଆ କେନ୍ଦୁଝର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ପାରମ୍ପରିକ ଭାବେ ପିଠା ଖାଇ ବାଣ ଫୁଟାଇଥିବା ଦେଖିବାକୁ ମିଳିଛି। କେନ୍ଦୁଝର ଗସ୍ତର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନିଜ ଜନ୍ମମାଟି ରାଇକଳାସ୍ଥିତ ଘରେ ପହଞ୍ଚି ସାନ୍ତାଳି ସମାଜ ବିଧି ଅନୁସାରେ ଦୀପାବଳି ପାଳନ କରିବା ସହ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବିଧି ଅନୁସାରେ ଗ୍ରାମବାସୀଙ୍କ ସହ ମିଶି ବାଜା ବଜାଇ ବାଣ ଫୁଟାଇ ଦୀପାବଳି ପାଳିଥିଲେ ମୁଖ୍ୟମନ୍ତ୍ରୀ।
ଏହି ଅବସରରେ ଗୁରୁବାର ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, “ଆମ ଗାଁ ରାଇକଳାରେ ପାଳନ କରାଯାଉଥିବା ଦୀପାବଳି ପର୍ବକୁ ବନ୍ଦଣା ପର୍ବ କୁହାଯାଏ । ଏଥିରେ ଗୋଠାଣ ପୂଜା କରାଯାଏ । ଆମ ସାହିରେ କରାଯାଉଥିବା ଏହି ପୂଜାପାଠରେ ଯୋଗ ଦେବାପାଇଁ ମୁଁ ସ୍ବତନ୍ତ୍ର ଭାବରେ ଆସିଛି । ଯେହେତୁ ଛୋଟବେଳୁ ମୁଁ ଏହି ପୂଜାରେ ସବୁବେଳେ ସାମିଲ ହୁଏ, ଏ ପୂଜାକୁ ମୁଁ ଭୁଲିପାରିନାହିଁ । ତେଣୁ ଏଥିରେ ସାମିଲ ହେବାକୁ ଆସିଛି । ଆମ ଗାଁରେ ଲୋକମାନେ ମାଦଳ ବଜାଇବେ, ଗୀତଗାଇ ନାଚିବେ, ଘରକୁ ଘର ବୁଲିବେ । ଏହାକୁ ଧିଙ୍ଗ୍ୱାନି ନାଚ କୁହାଯାଏ । ଏହି ନାଚ ଗୀତରେ ମୁଁ ସାମିଲ ହେବି । ଏ ପର୍ବରେ ଓଡ଼ିଆ ଅସ୍ମିତାର କଥା ଅଛି । କେନ୍ଦୁଝର ସହରରେ ଧୁମଧାମରେ କାଳୀପୂଜା ହୁଏ । ମୁଁ ସେସବୁ ଯାଗାକୁ ଯାଇ ମା’ କାଳୀଙ୍କୁ ଦର୍ଶନ କରିବି। ଆମ ଘରେ କାଲି ଗୋବର୍ଦ୍ଧନ ପୂଜା ହେବ । ଏହାକୁ ଗୁହାଳ ପୂଜା ବି କୁହାଯାଏ । ଆମେ ତାକୁ ପାଳନ କରିବୁ । କାଳୀ ପୂଜାକୁ ଆମ ସାନ୍ତାଳି ସମାଜରେ ସହରାଇ ପରବ କୁହାଯାଏ । ଏହାକୁ ବି ପାଳନ କରିବୁ ।”
ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ ୧.୧୦ଟା ରେ ରାଇସୁଆଁ ଏୟାର ଷ୍ଟ୍ରିପ୍ ରେ ସ୍ଵତନ୍ତ୍ର ବିମାନ ଯୋଗେ ପହଞ୍ଚିଥିବା ବେଳେ ସେଠାର ସ୍ଥାନୀୟ ଲୋକେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ସର୍କିଟ ହାଉସରେ ପହଞ୍ଚିବା ପରେ ସର୍କିଟ୍ ହାଉସରୁ ୨.୩୦ଟାରେ ସଡ଼କ ପଥ ଯୋଗେ ରାଇକଳାରେ ପହଞ୍ଚିଥିଲେ । ସେଠାରୁ ରାତି ୯ଟାରେ ବାହାରି ସଡ଼କ ପଥରେ କେନ୍ଦୁଝର ସର୍କିଟ୍ ହାଉସରେ ପହଞ୍ଚି ରାତ୍ରୀ ଯାପନ କରିଥିବା ସୂଚନା ମିଳିଛି । ତେବେ ଶୁକ୍ରବାର ସକାଳ ୮.୩୦ଟାରେ ବାହାରି ପୁନର୍ବାର ନିଜ ରାଇକଳାରେ ପହଞ୍ଚି ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ରାଇକଳାରୁ ଦିନ ୨ଟାରେ ବାହାରି କେନ୍ଦୁଝର ସର୍କିଟ୍ ହାଉସରେ ପହଞ୍ଚି ୩ଟା ୪୦ ମିନିଟରେ ସେଠାରୁ ବାହାରି ରାଇସୁଆଁ ଏଆର ଷ୍ଟ୍ରିପକୁ ଯାଇ ବିମାନ ଯୋଗେ ଭୁବନେଶ୍ୱର ଫେରିଯିବେ ।