ଭୁବନେଶ୍ୱର: ଗତ କିଛି ଦିନରୁ ରାଜ୍ୟରେ ଲଗାତାର ବର୍ଷା ହେଉଥିବା ବେଳେ ଆସନ୍ତା ୫ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ତେବେ ଏହା ଧୀରେଧୀରେ ଘନୀଭୂତ ହୋଇ ୭ ତାରିଖ ବେଳକୁ ଏକ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇ ଅବପାତର ରୂପ ନେବ ବୋଲି ଆକଳନ କରାଯାଉଛି । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ଆଇଏମଡି। ଆଇଏମଡି ପକ୍ଷରୁ ଜାରି ହୋଇଥିବା ପରିବ୍ୟାପ୍ତ ଆଉଟଲୁକରୁ ଏହି ସୂଚନା ମିଳିଛି । ଏନେଇ ପାଣିପାଗ ବିଶେଷଜ୍ଞ ସନ୍ଦୀପ ପଟ୍ଟନାୟକ କହିଛନ୍ତି ଯେ, ଅବପାତଟି ବାତ୍ୟାରେ ପରିଣତ ହେବାର ସମ୍ଭାବନା କମ୍ ରହିଥିବା ବେଳେ ପଶ୍ଚିମ ଦିଗକୁ ଗତି କରି ତାମିଲନାଡ଼ୁ ଉପକୂଳରେ ପହଞ୍ଚିବ। ଏହାର ପ୍ରଭାବରେ ୭ରୁ ୧୧ ତାରିଖ ମଧ୍ୟରେ ତାମିଲନାଡ଼ୁ, ରାୟଲସୀମା ଓ କେରଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସୂଚନା ଜାରି ହୋଇଛି। ତେବେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ ହୋଇଛି।
ଅପରପକ୍ଷରେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ଅନୁଯାୟୀ ଆଗକୁ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ସହ ଭୁବନେଶ୍ବର ସମେତ ଦକ୍ଷିଣ ଓଡ଼ିଶା ଉପକୂଳରେ ରାତି ତାପମାତ୍ରା ପ୍ରାୟ ଦୁଇ ଡିଗ୍ରି କମିବାକୁ ଥିବା ବେଳେ ଦକ୍ଷିଣ ଆଭ୍ୟନ୍ତରରେ ୧.୫ ଡିଗ୍ରି ଓ ଉତ୍ତର ଅଭ୍ୟନ୍ତରରେ ୨.୫ ଡିଗ୍ରି କମିବ। ୬ ତାରିଖ ପରେ ଦୁଇରୁ ତିନି ପର୍ଯ୍ୟନ୍ତ ପାଗ ମେଘୁଆ ରହିବା ସହ ସର୍ବନିମ୍ନ ତାପମାତ୍ରା ବଢ଼ିବ।