ନୂଆଦିଲ୍ଲୀ : ଦୀର୍ଘ ବର୍ଷର ବ୍ୟବଧାନ ପରେ ଚୀନ ଓ ଭାରତ ମଧ୍ୟରେ ବୁଝାମଣା ହୋଇ ଏଲଏସି ନିକଟରେ ଉଭୟ ପକ୍ଷରୁ ମିଳିତ ପାଟ୍ରୋଲିଂ ହେବା ନେଇ ନିକଟରେ ନିଷ୍ପତ୍ତି ହୋଇଛି । ତେବେ ଏହି ନିଷ୍ପତ୍ତି ପରେ ଗତ ଅକ୍ଟୋବର ୩୦ ତାରିଖରେ ଏହି ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ହୋଇଥିବା ନେଇ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ଏହା ପରେ ଦୀପାବଳି ପାଇଁ ଉଭୟ ପକ୍ଷ ମଧ୍ୟରେ ମିଠା ଆଦାନ-ପ୍ରଦାନର ବ୍ୟବସ୍ଥା କରାଯାଇ ଗୁରୁବାର ପୂର୍ବ ଲଦାଖର ଏଲଏସି ଅନ୍ତର୍ଗତ କେକେ ପାସ୍ ନିକଟରେ ଏହା ହୋଇଥିବା ଦେଖିବାକୁ ମିଳିଥିଲା। ଲଦାଖ୍ର ଡେପ୍ସାଙ୍ଗ ଓ ଡେମ୍ଚୋକ ଅଞ୍ଚଳରୁ ଭାରତ ଓ ଚୀନ ନିଜର ସୈନ୍ୟ ପ୍ରତ୍ୟାହାର ସହିତ ସେନା ଶିବିର ଉଠାଇ ନେବା ପରେ ଏଠାରେ ଶାନ୍ତି ଫେରିଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ ଯେ, ଲଦାଖର ବିବାଦୀୟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ସ୍ପଷ୍ଟ କରିଥିବା ବେଳେ ଗୁରୁବାର ରାଜନାଥ ଅରୁଣାଚଳ ସୀମାରେ ଯବାନଙ୍କ ସହିତ ଦୀପାବଳି ଉତ୍ସବ ପାଳନ କରିଥିବା ଦେଖିବାକୁ ମିଳିଥିଲା। ଏହାପରେ ଶୁକ୍ରବାର ଅର୍ଥାତ ନଭେମ୍ବର ୧ ଠାରୁ ଡେମ୍ଚୋକ ସେକ୍ଟରରେ ଉଭୟ ସୈନ୍ୟ ମିିଳିତ ପାଟ୍ରେଲିଂ ଆରମ୍ଭ କରିଛନ୍ତି। ସେହିପରି ଡେପ୍ସାଙ୍ଗ ସେକ୍ଟରରେ ମଧ୍ୟ ଖୁବ୍ଶୀଘ୍ର ମିଳିତ ପାଟ୍ରୋଲିଂ ଆରମ୍ଭ ହେବ।
ପ୍ରକାଶଥାଉ କି, ୧୯୬୨ ମସିହାରେ ହୋଇଥିବା ଯୁଦ୍ଧ ପରଠାରୁ ଅରୁଣାଚଳ ପ୍ରଦେଶରୁ ଲଦାଖ ପର୍ଯ୍ୟନ୍ତ ବ୍ୟାପିଥିବା ୩୪୮୮ କିମି ଲମ୍ବ ଭାରତ-ଚୀନ୍ ସୀମାରେ ବାରମ୍ବାର ଉତ୍ତେଜନା ଦେଖିବାକୁ ମିଳୁଥିଲା। ୨୦୨୦ ମସିହା ଜୁନରେ ଲଦାଖସ୍ଥିତ ଗଲୱାନ ଉପତ୍ୟକାରେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟି ଏଥିରେ ଭାରତର ୨୦ ଯବାନ ସହିଦ ହୋଇଥିବାବେଳେ ଚୀନ୍ ମଧ୍ୟ ୪୫ ଜଣ ସୈନ୍ୟଙ୍କୁ ହରାଇଥିଲା। ଏହାପରଠାରୁ ଲଦାଖ୍ରେ ଉଭୟ ଦେଶ ନିଜର ସାମରିକ ସ୍ଥିତି ସୁଦୃଢ କରିବାରେ ଲାଗିପଡିଥିଲେ। ସେଥିପାଇଁ ଦୁଇପକ୍ଷ ଏହି ବିବାଦୀୟ ସ୍ଥଳରେ ସଂଖ୍ୟାଧିକ ସୈନ୍ୟ, ଯୁଦ୍ଧାସ୍ତ୍ର ଓ ଲଢୁଆ ବିମାନ ମୁତୟନ କରିଥିଲେ। ତେବେ ଦୀର୍ଘ ଦିନର ଆଲୋଚନା ପରେ ଅକ୍ଟୋବର ୨୧ରେ ଉଭୟ ଦେଶ ମଧ୍ୟରେ ବୁଝାମଣା ହେବା ପରେ ଏଲଏସିରୁ ସୈନ୍ୟ ପ୍ରତ୍ୟାହାର ହେବା ନେଇ ନିଷ୍ପତ୍ତି ଚୂଡାନ୍ତ ହୋଇଥିଲା। ଏହାପରେ ଉକ୍ତ ଅଞ୍ଚଳରୁ ସେନା ଓ ଯୁଦ୍ଧାସ୍ତ୍ର ପ୍ରତ୍ୟାହାର ପ୍ରକ୍ରିୟା ସୁରୁଖୁରୁରେ ଶେଷ ହୋଇଥିବା ବେଳେ ଏହା ଦୁଇ ଦେଶର ସମ୍ପର୍କରେ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି।