ନୂଆଦିଲ୍ଲୀ : ଦିନକୁ ଦିନ ଦିଲ୍ଲୀ ବାୟୁମଣ୍ଡଳର ଅବସ୍ଥା ବିଗିଡ଼ିବାରେ ଲାଗିଛି । ବିଭିନ୍ନ କାରଣରୁ ଦିଲ୍ଲୀ ବାୟୁମଣ୍ଡଳ ପ୍ରଦୂଷିତ ହେବାରେ ଲାଗିଥିବା ବେଳେ ଦୀପାବଳି ପରେ ଏହା ଆହୁରି ଅଧିକ ପ୍ରଦୂଷିତ ହୋଇଥିବା ସୂଚନା ମିଳିଛି। ବର୍ଦ୍ଧିତ ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଦୀପାବଳିରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଡା କଟକଣା ଲାଗୁ ହୋଇଥିବା ସତ୍ତ୍ବେ କୌଣସି ସୁଫଳ ମିଳିନଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଦିଲ୍ଲୀବାସୀ ପ୍ରବଳ ମାତ୍ରାରେ ବାଣ ଫୁଟାଇବା ଯୋଗୁଁ ଦିଲ୍ଲୀ ବାୟୁମଣ୍ଡଳ ବିଶେଷ ଭାବେ ଧୂଆଁରେ ଆଚ୍ଛାଦିତ ହୋଇପଡିଥିବାବେଳେ ଶବ୍ଦ ପ୍ରଦୂଷଣ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଥିବା ସୂଚନା ମିଳିଛି। ଏସଏଏଫଏଆର (ସିଷ୍ଟମ ଅଫ୍ ଏୟାର କ୍ବାଲିଟି ଆଣ୍ଡ୍ ୱେଦର ଫୋରକାଷ୍ଟିଙ୍ଗ ରିସର୍ଚ୍ଚ) ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଶୁକ୍ରବାର ସକାଳ ୬.୩୦ଟା ସୁଦ୍ଧା ଦିଲ୍ଲୀର ଏକ୍ୟୁଆର (ଏୟାର କ୍ବାଲିଟି ଇଣ୍ଡେକ୍ସ) ୩୫୯ ଥିବା ରେକର୍ଡ ହୋଇଛି। ଦୀପାବଳି ଦିନ ଏହି ଏକ୍ୟୁଆର ୩୨୮ ରେକର୍ଡ କରାଯାଇଥିବା ବେଳେ ଏହା ଅତ୍ୟନ୍ତ ନିମ୍ନମାନର ଅଟେ।
ପ୍ରକାଶଥାଉ କି, ଏକ୍ୟୁଆଇର ଶ୍ରେଣୀ ୪୫୦ ରହିଲେ ଏହାକୁ ଅତ୍ୟନ୍ତ ସାଂଘାତିକ ବୋଲି ଆଖ୍ୟା ଦିଆଯାଇଥାଏ। ତେବେ ବାୟୁମଣ୍ଡଳରେ ଥିବା ମାଇକ୍ରୋ ପାର୍ଟିକଲ୍ସ (ପିଏମ୨.୫) ମାତ୍ରା ବୃଦ୍ଧି ପାଇଲେ ଫୁସ୍ଫୁସ୍ରେ ସଂକ୍ରମଣ ଆଶଙ୍କା ୨୩ ଗୁଣ ଅଧିକ ହୋଇଥାଏ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶ ପାଇଛି। ତେବେ ଶୁକ୍ରବାର ଦିଲ୍ଲୀର ପ୍ରତି ଘନ ମିଟର ଅଞ୍ଚଳରେ ପ୍ରଦୂଷଣ ମାତ୍ରା ୩୪୫ ମାଇକ୍ରୋଗ୍ରାମ୍ସ ରହିଥିବା ଜଣାପଡିଛି। ଏହା ଯୋଗୁଁ ଦିଲ୍ଲୀକୁ ବିଶ୍ବର ସବୁଠାରୁ ପ୍ରଦୂଷିତ ସହରର ମାନ୍ୟତା ମିଳିଛି।
ପ୍ରକାଶିତ ହୋଇଥିବା ତଥ୍ୟ ଅନୁଯାୟୀ ଦିଲ୍ଲୀ ସହରର ୪୦ଟି ସ୍ଥାନରେ ଖଞ୍ଜାଯାଇଥିବା ମନିଟରିଂ ଷ୍ଟେସନରେ ପ୍ରଦୂଷଣ ମାତ୍ରା ଅତ୍ୟନ୍ତ ଖରାପ ରହିଥିବା ବେଳେ ବୁରାରି କ୍ରସିଂ ଅଞ୍ଚଳରେ ଏକ୍ୟୁଆଇ ୩୯୪, ସୋନିଆ ବିହାରରେ ୩୯୨, ପଞ୍ଜାବୀ ବାଗରେ ୩୯୧, ନର୍ଥ କ୍ୟାମ୍ପସରେର ୩୯୦, ବାୱାନାରେ ୩୮୮, ଜାହାଙ୍ଗୀରପୁରୀରେ ୩୮୭, ରୋହିଣୀରେ ୩୮୫, ଅଶୋକ ବିହାରରେ ୩୮୪ ଏବଂ ନେହେରୁ ନଗରରେ ଏହା ୩୮୧ ରେକର୍ଡ ହୋଇଛି। ଅପରପକ୍ଷରେ ଏହି ପ୍ରସଙ୍ଗରେ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ସୂଚନା ଦେଇଛନ୍ତି ଯେ, ‘ଦୀପାବଳିରେ ବାଣଫୁଟା କଟକଣାକୁ କାର୍ଯ୍ୟକାରୀ କରିବାକୁ ପୁଲିସର ୩୭୭ଟି ଦଳକୁ ନିୟୋଜିତ କରାଯାଇ ସେଥିପ୍ରତି ଦୃଷ୍ଟି ଦେବାକୁ ଦିଲ୍ଲୀର ସବୁ ପୁଲିସ ଡିସିପିଙ୍କୁ ଦାୟିତ୍ବ ଦିଆଯାଇଥିବା ସତ୍ତ୍ବେ ଦିଲ୍ଲୀକୁ କିପରି ବାଣ ଆସିଲା ଏବଂ ସହରବାସୀ ସମସ୍ତ କଟକଣାକୁ ବେଖାତିର କରି ଏହା ଫୁଟାଇଲେ, ତାହା କ୍ଷମତାସୀନ ଆପ୍ ସରକାରଙ୍କ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।’