ଆଦିବାସୀ ମାନଙ୍କର ପାରମ୍ପରିକ ଖାଦ୍ୟ ସାରଣୀରେ ବିଭିନ୍ନ ପ୍ରକାର କନ୍ଦା, ମୂଳ, ଚେର, ଶାଗ, ଫଳ, ମଞ୍ଜି ଆଦି ସାମିଲ । ଲୋକେ ଆମ୍ବ ଖାଇ ସାରିଲା ପରେ ଆମ୍ବ ଟାକୁଆକୁ ଫିଙ୍ଗି ନ ଦେଇ ସାଇତି ରଖିଥାନ୍ତି । ଏହାକୁ ଶୁଖାଇ ଆବରଣ ଭିତରୁ କୋଇଲି ବାହାର ତାହାର ଟୁକୁଡା କରନ୍ତି । ଏହି ଟୁକୁଡ଼କୁ ଝରଣାରେ ଧୋଇ ତାର କଷା ଅଂଶ ବାହାର କରନ୍ତି। ଏହାପରେ ଏହାକୁ କୁଟି ଗୁଣ୍ଡ କରି ଜାଉ ପ୍ରସ୍ତୁତ କରି ଖାଇଥାନ୍ତି । କିନ୍ତୁ ଆଜି ସେହି ଆମ୍ବ ଟାକୁଆ ବିଷାକ୍ତ ହୋଇ ଆଦିବାସୀ ଲୋକଙ୍କ ଜୀବନ ନେଉଛି । ଏହାହିଁ ସମୟର ବିଡମ୍ବନା । ଆଦିବାସୀ ଜୀବନ ସହିତ ଭାବଗତ ଭାବେ ଜଡିତ ଏହି ଆମ୍ବ ଟାକୁଆ ଆଜି ଆଦିବାସୀଙ୍କର ଶତ୍ରୁ ହୋଇଯାଇଛି।
୨୦୦୧ରେ , ରାୟଗଡା ର କାଶୀପୁରରେ ଆମ୍ବ ଟାକୁଆ ଖାଇ ପ୍ରାୟ ୧୯ ଜଣ ମୃତ୍ୟୁବରଣ କରିଥିଲେ । ଗତ ଗୁରୁବାର ଦିନ ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାର ଗଦାପୁର ପଞ୍ଚାୟତ ର ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ରୁ ପ୍ରସ୍ତୁତ ଖାଦ୍ୟ ଖାଇ ଦୁଇ ମହିଳାଙ୍କ ମୃତ୍ୟୁ ପରେ ଏହା ପୁଣି ଆଲୋଚ୍ୟ ବିଷୟ ପାଲଟିଛି।
ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହିତ ନେଇ ଏକ ଯାଞ୍ଚର ଆଦେଶ ଦେଇଛନ୍ତି । ଫଳାଫଳକୁ ଲୋକେ ଅପେକ୍ଷା କରୁଛନ୍ତି ।
କାଶୀପୁର ମୃତ୍ୟୁଘଟଣାର ଜାତୀୟ ମାନବିକ ଅଧିକାର କମିଶନ ଯାଞ୍ଚ କରି ଏହା ବିଷାକ୍ତ ଖାଦ୍ୟଜନିତ ମୃତ୍ୟୁ ବୋଲି କହିଥିଲେ । ଯାହା ସରକାର ମଧ୍ୟ କହିଥିଲେ । ତେବେ ଆମ୍ବଟାକୁଆରୁ ବିଭିନ୍ନ ପର୍ଯ୍ୟାୟ ଦେଇ ଖାଦ୍ୟ ପ୍ରସ୍ତୁତ ହୋଇଥାଏ । ସତର୍କତାର ସହିତ ଖାଦ୍ୟ ପ୍ରସ୍ତୁତ ନ କଲେ ଏଥିରେ ଆଲଫା ଟକ୍ସିନ ଓ ଅନ୍ୟ କେତେକ ବିଷାକ୍ତ ରାସାୟନିକ ପଦାର୍ଥ ସୃଷ୍ଟି ହୋଇଥାଏ । ଯାହାକୁ ଖାଇଲେ ଜଣେ ମୃତ୍ୟୁ ବରଣ କରେ। ତେଣୁ ଅନେକ ଆଦିବାସୀଙ୍କ କ୍ଷେତ୍ରରେ ବିପଦ ଆସି ନଥିବା ବେଳେ କେତେକଙ୍କ କ୍ଷେତ୍ରରେ ଆମ୍ବ ଟାକୁଆରୁ ପ୍ରସ୍ତୁତ ଖାଦ୍ୟ ଲୋକଙ୍କ ଜୀବନ ନେଇଥାଏ ।
ଅନ୍ୟ ଏକ ପ୍ରଶ୍ନ ହେଲା, ଜଣେ ଆଦିବାସୀ ଆମ୍ବ ଟାକୁଆ ଦାରିଦ୍ର୍ୟତା ଯୋଗୁ ଖାଉଛି କି? କନ୍ଧମାଳ ଜିଲାରେ ଲୋକଙ୍କ ଚଳଣିର ସ୍ତର ଟଙ୍କା କୁ ନେଇ ମପାଯାଏ ନାହିଁ । ନିଜ ଜମିରୁ ଆଦାୟ କରିଥିବା ଶସ୍ୟକୁ ନେଇ ଏହା ଆକଳନ ସାମାଜିକ ସ୍ତରରେ ହୋଇଥାଏ । ଯେଉଁମାନେ ଉତ୍ପାଦିତ ଶସ୍ୟରେ ବାରମାସ ଚଳନ୍ତିସେମାନେ ଧନୀ, ଯେଉଁମାନେ ଚ୍ଛଅ ମାସରୁ ରୁ କମ ଚଳନ୍ତି, ସେମାନେ ଗରିବ ବୋଲି ଧରାଯାଏ। ଯାହାପାଖରେ ଛଅ ମାସର ଖାଦ୍ୟ ଅଛି, ସେ ବର୍ଷ ସାରା କେମିତି ଚଳିବ? ତେଣୁ ସେ ମାଣ୍ଡିଆ ଯାଉ, ମକା ଜାଉ, ଟାକୁଆ ଯାଉରେ, କୁଇରି କିମ୍ବା କାଙ୍ଗୁ ଜାଉରେ ଚାଉଳ ମୁଠେ ଦି ମୁଠା ମିଶେଇ ଯେଉଁ ଖାଦ୍ୟ ପ୍ରସ୍ତୁତ କରେ ସେଥିରେ ଅଭାବ ସମୟରେ ଚାଲିଯାନ୍ତି ।
ତେବେ ପ୍ରଶ୍ନ ଉଠୁଛି ସରକାର ଖାଦ୍ୟ ସୁରକ୍ଷା ଅଧିକାର ଅଧୀନରେ ମାସକୁ ଜଣ ପିଛା ପାଞ୍ଚକିଲୋ ଚାଉଳ ଦେଉଥିଲା ବେଳେ, ଲୋକେ ପୁଣି କାହିଁକି ଆମ୍ବଟାକୁଆ ଖାଉଛନ୍ତି। ଜଣେ ସାଧାରଣ ଲୋକର ପାଞ୍ଚ କିଲୋ ଚାଉଳରୁ ୧୦ ରୁ ୧୨ ଦିନ ଚଳିଯାଏ। କିନ୍ତୁ ଅବଶିଷ୍ଟ ଦିନଗୁଡିକ କିପରି ଚଳିବ? ଏହାବ୍ୟତୀତ ପ୍ରତି ମାସରେ ଲୋକ ମାନଙ୍କୁ ଚାଉଳ ନ ମିଳି ୨/୩ ମାସରେ ଚାଉଳ ମିଳିଲେ ସେମାନେ ଚାଲିବେ କିପରି ? ଆୟ କମଥିବାରୁ ମନରେଗା ପରି ସରକାରୀ କର୍ମଯୋଗାଣ ଯୋଜନା ବି ସେସବୁ ଅଞ୍ଚଳରେ ଚାଲୁନାହିଁ ବୋଲି ଲୋକେ ଅଭିଯୋଗ କରୁଛନ୍ତି ଏବଂ ଦାଦନ ଯାଉଛନ୍ତି। ତେବେ ତଦନ୍ତ ବିବରଣୀ ଆସିବା ପର୍ଯ୍ୟନ୍ତ ଏବଂ ଖାଦ୍ୟ ସୁରଖି କାର୍ଡ ଯାଞ୍ଚ ସପୂର୍ଣ ହେବ ପର୍ଯ୍ୟନ୍ତ ରାଜ୍ୟ ସରକାର ଅପେକ୍ଷା ନକରି ରାଜ୍ୟର ଆଦିବାସୀ ଅଞ୍ଚଳରେ ତୁରନ୍ତ ଶତ ପ୍ରତିଶତ ପରିବାରକୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି ।