ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ସକାଳ ଓ ସନ୍ଧ୍ୟାରେ ସାମାନ୍ୟ ଥଣ୍ଡା ଅନୁଭୂତ ହେଉଛି | କିନ୍ତୁ, ତଥାପି ଅଧିକାଂଶ ରାଜ୍ୟ ଅପରାହ୍ନରେ ଗରମ ଅନୁଭବ ହେଉଛି। ଆସନ୍ତା ୫ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ସୋମବାର ରାଜ୍ୟରେ ପାଗ ପ୍ରାୟ ଶୁଖିଲା ରହିବ ଓ ମଙ୍ଗଳବାର ଗଞ୍ଜାମ ଓ ପୁରୀ ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୬ ତାରିଖରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା ଓ କନ୍ଧମାଳ ଆଦି ଜିଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମଧରଣ ବର୍ଷା ହେବ। ୭ ତାରିଖରେ ଗଞ୍ଜାମ, ଗଜପତି, ପୁରୀ ଓ ଖୋର୍ଦ୍ଧା ଆଦି ଜିଲାର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଥିବାବେଳେ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସ୍ଥାନେ ସ୍ଥାନେ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।