ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ପାଗ ଶୁଖିଲା ରହିଥିବା ବେଳେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ନେଇ ସୂଚନା ଦେଇଛି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। ତେବେ ଏକ ସମୟରେ ଆର୍ଦ୍ରତା ଓ ଗୁଳୁଗୁଳି ଯୋଗୁଁ ରାଜ୍ୟର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ନଥିବାବେଳେ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।
ଅପରପକ୍ଷରେ ବୁଧବାର ପାଇଁ ରାଜ୍ୟର କିଛି ଅଞ୍ଚଳ, ବିଶେଷକରି ଉପକୂଳ ଓଡିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର, କଟକ, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ହାଲୁକା ବର୍ଷା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବ ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବୁଧବାର ପାଇଁ ଜଗତସିଂପୁର, କେନ୍ଦ୍ରାପଡା, କନ୍ଧମାଳ, ପୁରୀ, କେନ୍ଦୁଝର, ଖୋର୍ଦ୍ଧା ଗଞ୍ଜାମ, ଗଜପତି, ନୟାଗଡ ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ହାଲୁକା ବର୍ଷା ହେବାକୁ ଥିବାବେଳେ ଅବଶିଷ୍ଟ ଜିଲ୍ଲାରେ ଶୁଖିଲା ପାଗ ରହିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହିତ ଆସନ୍ତା ସପ୍ତାହେ ମଧ୍ୟରେ ଶୀତ ଅନୁଭବ ହେବ ବୋଲି ପୂର୍ବାନୁମାନ କରିଛି ବିଭାଗ । ମଙ୍ଗଳବାର ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୫.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କନ୍ଧମାଳ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୪.୫ ଡିଗ୍ରୀ ରେକର୍ଡ ହୋଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ ।