ଅଲ୍-ଜୌଫ୍: ଇତିହାସରେ ପ୍ରଥମ ଥର ପାଇଁ ମରୁଭୂମିରେ ଦେଖିବାକୁ ମିଳିଛି ତୁଷାରପାତ। ଏପରି ଦେଖିବାକୁ ମିଳିଛି ସାଉଦି ଆରବରେ । ଏଠାରେ ପ୍ରବଳ ବର୍ଷା ସାଙ୍ଗକୁ ତୁଷାରପାତ ହୋଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, ସାଉଦି ଆରବସ୍ଥିତ ଅଲ୍-ଜୌଫ୍ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ କୁଆପଥର ବୃଷ୍ଟି ପରେ ପ୍ରବଳ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ତୁଷାରପାତ ପ୍ରଭାବରେ ଦେଶରେ ଏକ ଶୀତକାଳୀନ ଅଭୂତପୂର୍ବ ଦୃଶ୍ୟ ଦେଖାଯାଇଛି । ଅଲ୍-ଜୌଫ୍ ଅଞ୍ଚଳର ସ୍ଥାନୀୟ ଅଧିବାସୀ ତୁଷାରପାତ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ବସନ୍ତ ଋତୁରେ ଅଲ୍-ଜୌଫ୍ ଅଂଚଳର ମନଲୋଭା ଦୃଶ୍ୟ ପାଇଁ ଏହା ପ୍ରସିଦ୍ଧ ହୋଇଥିବା ବେଳେ ଏହି ତୁଷାରପାତ ଯୋଗୁ ଦୃଶ୍ୟ ଅତ୍ୟନ୍ତ ମନୋରମ ଦେଖାଯାଉଥିବା ସୂଚନା ମିଳିଛି । ସାଉଦି ପ୍ରେସ୍ ଏଜେନ୍ସି ପକ୍ଷରୁ ଏହି ସୂଚନା ମିଳିଛି।
ଅପରପକ୍ଷରେ ସାଉଦି ଆରବ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା କିଛି ଦିନ ମଧ୍ୟରେ ଖରାପ ପାଣିପାଗ ପାଇଁ ଚେତାବନୀ ଜାରି ହୋଇଛି । ଏନେଇ ସୂଚନା ଦେଇ ପାଣିପାଗ ବିଭାଗ କହିଛି ଯେ ଆଗକୁ ଅଲ୍-ଜୌଫର ଅଧିକାଂଶ ଭାଗରେ ଝଡ଼ର ସମ୍ଭାବନା ରହିଛି । ତେବେ ବିଭାଗର ପୂର୍ବାନୁମାନ ଅନୁସାରେ, ଆସନ୍ତା କିଛି ଦିନରେ ପ୍ରବଳ ବର୍ଷା ଏବଂ କୁଆପଥ ବୃଷ୍ଟି ସମେତ ଝଡ଼ ହେବାର ସମ୍ଭାବନା ରହିଛି । ସେଥିପାଇଁ ଅଧିକାରୀମାନଙ୍କୁ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।
ପ୍ରକାଶଥାଉ କି, ବୁଧବାର ସାଉଦି ଆରବ ଭଳି ମରୁଭୂମି ଅଞ୍ଚଳରେ ତୁଷାରପାତ ଏକ ଅସାଧାରଣ ଘଟଣା। ତେବେ ଏନେଇ ବିଶେଷଜ୍ଞମାନେ ସୂଚନା ଦେଇ କହିଛନ୍ତି ଯେ, ମରୁଭୂମିରେ ତୁଷାରପାତ ଭଳି ଅସାଧାରଣ ଘଟଣା ବାୟୁମଣ୍ଡଳୀୟ ସ୍ଥିତି ପରିବର୍ତ୍ତନ ପାଇଁ ଘଟୁଛି । ଚଳିତ ବର୍ଷ ଆରମ୍ଭରେ ମଧ୍ୟ ସାଉଦି ଆରବର ରାଜଧାନୀ ରିୟାଦରେ ପ୍ରବଳ ବର୍ଷା ହେବ ସହ ବନ୍ୟା ହୋଇଥିଲା।