କାନପୁର: ଉତ୍ତରପ୍ରଦେଶସ୍ଥିତ କାନପୁର ଆଇଆଇଟି ପକ୍ଷରୁ ଜେଇଇ ଆଡଭାନ୍ସ ଅଶାୟୀଙ୍କ ପାଇଁ ଏକ ବଡ଼ ଘୋଷଣା କରାଯାଇଛି। ବୁଧବାର ଏନେଇ ସୂଚନା ପ୍ରକାଶ ପାଇଛି । ପୂର୍ବରୁ ଆଶାୟୀ ଛାତ୍ରଛାତ୍ରୀ ମାତ୍ର ୨ ଥର ଜେଇଇ ପରୀକ୍ଷା ଦେବାପାଇଁ ନିୟମ ଥିବା ବେଳେ ନୂତନ ନିଷ୍ପତ୍ତି ଅନୁସାରେ ଛାତ୍ରଛାତ୍ରୀ ୩ ଥର ପରୀକ୍ଷା ଦେଇପାରିବେ ।
ସୂଚନାଯୋଗ୍ୟ ଯେ, ଜେଇଇ ଆଡଭାନ୍ସ ପରୀକ୍ଷାକୁ ନେଇ ନୂଆ ଗାଇଡଲାଇନ ଜାରି କରିଛି ଆଇଆଇଟି, କାନପୁର। ଏହି ଗାଇଡ଼ଲାଇନ ଅନୁସାରେ, ୨୦୨୫ ମସିହା ଠାରୁ ଆଶାୟୀ ପ୍ରାର୍ଥୀ ଲଗାତାର ୩ ବର୍ଷ ପାଇଁ ୩ ଥର ପରୀକ୍ଷା ଦେଇପାରିବେ । ଏହାପୂର୍ବରୁ ଜେଇ ଆଡଭାନ୍ସ ପରୀକ୍ଷା ୨ ବର୍ଷରେ ଦୁଇଥର ଦେଇପାରୁଥିଲେ ଛାତ୍ରଛାତ୍ରୀ । ତେବେ ନୂଆ ଗାଇଡ଼ଲାଇନ ଅନୁସାରେ ଜେଇଇ ଆଡଭାନ୍ସ ପରୀକ୍ଷା ଦେବାପାଇଁ ଆଶାୟୀ ଛାତ୍ରଛାତ୍ରୀଙ୍କ ଜନ୍ମ ୨୦୦୦ ମସିହା ଅକ୍ଟୋବର ୧ ତାରିଖ ପରେ ହୋଇଥିବା ଜରୁରୀ । ତେବେ ଅନୁସୂଚିତ ଜାତି, ଜନଜାତି ଓ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ବୟସ ସୀମାରେ ୫ ବର୍ଷ ଛାଡ ମିଳିବ । ଏମାନେ ୧୯୯୫ ମସିହା ଅକ୍ଟୋବର ୧ ତାରିଖ ପରେ ଜନ୍ମ ଗ୍ରହଣ କରିଥିବା ଆବଶ୍ୟକ। ଅପରପକ୍ଷରେ ଯେଉଁ ପ୍ରାର୍ଥୀମାନେ ଜେଓଏସଏଏ କାଉନସେଲିଂ ମାଧ୍ୟମରେ ଆଇଆଇଟିରେ ଆଡମିଶନ ପାଇଥିବେ, ସେହି ଛାତ୍ରଛାତ୍ରୀମାନେ ଏହି ନିୟମର ଲାଭ ପାଇ ପାରିବେ ନାହିଁ । କିନ୍ତୁ ଏନଆଇଟି ମାଧ୍ୟମରେ ଆଡମିଶନ ନେଇଥିବା ଛାତ୍ରମାନେ ନୂତନ ନିୟମ ଅନୁଯାୟୀ ପରୀକ୍ଷା ଦେଇପାରିବେ ।
ପ୍ରକାଶଥାଉ କି, ପ୍ରତିବର୍ଷ ଏନଟିଏ ଦ୍ୱାରା ପରିଚାଳିତ ହେଉଥିବା ଜେଇଇ ମେନ୍ସ ଓ ଜେଇଇ ଆଡଭାନ୍ସ ପରୀକ୍ଷା ମେ ମାସର ଶେଷ ସପ୍ତାହରେ କିମ୍ବା ଜୁନ୍ ପ୍ରଥମ ସପ୍ତାହରେ ହେଉଥିବା ବେଳେ ଏହି ପରୀକ୍ଷା ଦେବାକୁ ହେଲେ ଜେଇଇ ମେନ୍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ ହୋଇଥାଏ।