ଦିନକୁ ଦିନ କ୍ରୀଡ଼ାପ୍ରେମୀଙ୍କୁ ଆକର୍ଷିତ କରୁଛି ପ୍ରୋ କବାଡି ଲିଗ (କେପିଏଲ)। ୨୦୧୪ ମସିହାରେ ଆରମ୍ଭ ହୋଇଥିବା ଏହି ପ୍ରୋ କବାଡି ଲିଗ ଏବେ ବିଶ୍ବର ସର୍ବାଧିକ ଲୋକପ୍ରିୟ କବାଡି ଲିଗର ସ୍ଥାନ ନେଇଛି । ଏହା ସହିତ ଆଇପିଏଲ ପରେ କେପିଏଲ ହେଉଛି ଦ୍ଵିତୀୟ ସର୍ବାଧିକ ଦେଖାଯାଉଥିବା ମ୍ୟାଚ । ଏହି କେପିଏଲ ଆରମ୍ଭ ହେବାର ପ୍ରାରମ୍ଭିକ କିଛି ସିଜିନରେ ୮ଟି ଦଳ ଥିବା ବେଳେ ଏବେ ଫ୍ରାଞ୍ଚାଇଜ ସଂଖ୍ୟା ୧୨ରେ ପହଂଚି ସାରିଛି। ପୂର୍ବରୁ କେପିଏଲରେ ଖେଳାଳିମାନେ ହଜାର ଆଉ ଲକ୍ଷରେ ନିଲାମ ହେଉଥିବା ବେଳେ ଏବେ କିଛି ଖେଳାଳିଙ୍କ ଦାମ କୋଟିରେ ପହଂଚିଛି । ଏହି ଲିଗ ଡୁବକି କିଙ୍ଗ ପ୍ରଦୀପ ନରୱାଲ, ରାହୁଲ ଚୌଧୁରୀ, ପୱନ ସେରାୱତ, ନବୀନ କୁମାର, ମୋହିତ ଚିଲର, ଗିରିଶ ଏରନାକଙ୍କ ପରି ଲୋକପ୍ରିୟ କବାଡି ଖେଳାଳି ସୃଷ୍ଟି କରିବାରେ ସହାୟକ ହୋଇଛି।
ଅପରପକ୍ଷରେ କବାଡି ଲିଗର ସବୁଠାରୁ ଶ୍ରେଷ୍ଠ ଦଳ ଭାବେ ପାଟନା ପିରେଟ୍ସ ବିବେଚିତ ହେଉଥିବା ବେଳେ ଦଳ ଏପର୍ଯ୍ୟନ୍ତ ସମୁଦାୟ ୩ ଥର ଟାଇଟଲ ଜିତିଛି । ଏହାସହିତ ମାତ୍ର ଥରେ ଫାଇନାଲରେ ପରାସ୍ତ ହୋଇଛି ପାଟନା ପିରେଟ୍ସ । ସେହିପରି ଜୟପୁର ପିଙ୍କ ପାନ୍ଥରସ ଦଳ ଦୁଇ ଥର ଟାଇଟଲ ହାସଲ କରିଛି। ସଫଳ ରେଡର ଭାବେ ଡୁବକି କିଙ୍ଗ ପ୍ରଦୀପ ନରୱାଲ ଶୀର୍ଷରେ ଥିବା ବେଳେ ସେ ବେଙ୍ଗାଲୁରୁ ବୁଲସ, ପାଟନା ପିରେଟ୍ସ, ୟୁପି ଯୋଦ୍ଧାସ ଆଦି ଦଳ ପକ୍ଷରୁ ଖେଳି ବର୍ତମାନ ସୁଦ୍ଧା ପାଖାପାଖି ୧୭୦୦ ରେଡ ପଏଣ୍ଟ ହାସଲ କରିଛନ୍ତି। ସେହିପରି ସଫଳ ଡ଼ିଫେଣ୍ଡର ଫଜଲ ଅତ୍ରାଚଳି ବର୍ତମାନ ସୁଦ୍ଧା ୫୦୦ ଟ୍ୟାକଲ ପଏଣ୍ଟ ସ୍କୋର କରିଛନ୍ତି। ତେବେ ଗତ ଅକ୍ଟୋବର ୧୮ରୁ ଆରମ୍ଭ ହୋଇଥିବା ପ୍ରୋ କବାଡି ଲିଗ-୨୦୨୪ ଜାରି ରହିଥିବା ବେଳେ ଚଳିତ ବର୍ଷ କିଏ ଟାଇଟଲ ହଟାଉଛି ତାହା ଦେଖିବା ବାକି ରହିଲା।