ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ପାଗ ଶୁଖିଲା ରହିଥିବା ବେଳେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ନେଇ ସୂଚନା ଦେଇଛି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। ତେବେ ଏକ ସମୟରେ ଆର୍ଦ୍ରତା ଓ ଗୁଳୁଗୁଳି ଯୋଗୁଁ ରାଜ୍ୟର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ନଥିବାବେଳେ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଗୁରୁବାର ଓ ଶୁକ୍ରବାର ପାଇଁ ପୁରୀ, ଗଂଜାମ,ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା ଓ ନୟାଗଡରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ଅପରପକ୍ଷରେ ବୁଧବାର ରାଜ୍ୟରେ ୧୫ଟି ସହରର ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ୧୬ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି। ସେହିପରି ଦାରିଙ୍ଗିବାଡିରେ ତାପମାତ୍ରା ୧୬.୫ଡିଗ୍ରୀ ଓ ନବରଙ୍ଗପୁରରେ ୧୬.୬ ଡିଗ୍ରୀ , ଭବାନୀପାଟଣା ଓ ରାୟଗଡାରେ ୧୭ ଡିଗ୍ରୀ, କୋରାପୁଟ ରେ ୧୭.୮, ବଲାଙ୍ଗୀରରେ ୧୭.୯, ସୁନ୍ଦରଗଡ ଓ ଝାରସୁଗୁଡାରେ ୧୮.୨, ଅନୁଗୁଳରେ ୧୮.୬, ରାଉରକେଲାରେ ୧୮.୮, ହୀରାକୁଦରେ ୧୯.୧, ସୋନପୁର ଓ ଟିଟିଲାଗଡରେ ୨୦, ମାଲକାନଗିରିରେ ସର୍ବନିମ୍ନ ତାପମାତ୍ରା ୨୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି ।