ନୂଆଦିଲ୍ଲୀ: ଉଚ୍ଚଶିକ୍ଷା କ୍ଷେତ୍ରରେ ଉନ୍ନତି ତଥା ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରୋତ୍ସାହିତ କରିବା ଦିଗରେ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ଏକ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ବାଜିଛି । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ‘ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ’ ଯୋଜନାକୁ ମଞ୍ଜୁରୀ ମିଳିଛି। ଏହି ଯୋଜନା ମାଧ୍ୟମରେ ଉଚ୍ଚ ଶିକ୍ଷା ପାଇଁ ଅର୍ଥର ସମସ୍ୟା ଦୂର ହେବା ସହିତ ବାର୍ଷିକ ଦେଶର ପ୍ରାୟ ୨୨ ଲକ୍ଷ ଛାତ୍ରଛାତ୍ରୀ ଏହାର ଲାଭ ଉଠାଇ ପାରିବେ। ସେଥିପାଇଁ ଏହି ଯୋଜନାରେ ୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୩୦-୩୧ ଆର୍ଥିକ ବର୍ଷ ମଧ୍ୟରେ ୭ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ଋଣ ଦେବା ପାଇଁ ୩୬୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି।
ସୂଚନାଯୋଗ୍ୟ ଯେ, ବୁଧବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ‘ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା’କୁ ଅନୁମୋଦନ କରାଯାଇଛି । ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଭଲ କଲେଜରେ ଆଡମିଶନର ଗ୍ୟାରେଣ୍ଟି ଦେବା ସହିତ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଋଣ ଉପଲବ୍ଧ ହୋଇପାରିବ ।
ପ୍ରକାଶ ପାଇଥିବା ସରକାରୀ ବିଜ୍ଞପ୍ତି ଅନୁସାରେ, ଦେଶର ଶ୍ରେଷ୍ଠ ୮୬୦ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଡମିଶନ ନେଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଏଜୁକେସନ ଋଣ ଦିଆଯିବ । ଏହା ଦ୍ୱାରା ବାର୍ଷିକ ୨୨ ଲକ୍ଷରୁ ଅଧିକ ମେଧାବୀ ଛାତ୍ରଛାତ୍ରୀ ଉପକୃତ ହେବେ । ତେବେ ଋଣ ନେବା ପାଇଁ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡିବ । ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ କୌଣସି ବି ଗ୍ୟାରେଣ୍ଟରର ଆବଶ୍ୟକତା ନଥିବା ବେଳେ ଋଣ ସୁଧରେ ମଧ୍ୟ ସବସିଡି ମିଳିବ । ସରକାରୀ ନିଷ୍ପତ୍ତି ଅନୁସାରେ, ଋଣ ଉପରେ ୩% ସୁଧ ଛାଡ଼ ସହିତ ଯେଉଁ ପରିବାରର ମୋଟ ଆୟ ୮ ଲକ୍ଷ ଟଙ୍କା କିମ୍ବା ଏହାଠାରୁ କମ୍, ସେହି ଛାତ୍ରଛାତ୍ରୀଙ୍କୁ ଏହି ଋଣ ପ୍ରଦାନ କରାଯିବ ।