ଭୁବନେଶ୍ୱର: ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି ସର୍ବଭାରତୀୟ ଡିଜିପି ସମ୍ମିଳନୀ । ମାଓ ମୁକାବିଲାକୁ ନେଇ ଏହି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହା ଆସନ୍ତା ୨୯ ରୁ ଆରମ୍ଭ ହୋଇ ଡିସେମ୍ବର ୧ ତାରିଖ ଯାଏଁ ଚାଲିବ। ଚଳିତ ଥର ଏହି ସମ୍ମିଳନୀରେ ୬୦୦ ବରିଷ୍ଠ ଆଇପିଏସ ଏହି ସମ୍ମିଳନୀରେ ଯୋଗ ଦେବା ନେଇ ସୂଚନା ମିଳିଛି।
ଏଥିରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯୋଗ ଦେବା ନେଇ ସୂଚନା ମିଳିଥିବା ବେଳେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ମଧ୍ୟ ଯୋଗ ଦେଇପାରନ୍ତି । ସମ୍ମିଳନୀରେ ଦେଶର ଅଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ଆଲୋଚନା ସହିତ ମାଓ ମୁକାବିଲା ପ୍ରସଙ୍ଗକୁ ନେଇ ଆଲୋଚନା ହେବ । ଏହାସହିତ ଅନ୍ୟାନ୍ୟ ସଂଗଠିତ ଅପରାଧ ଓ ସାଇବର କ୍ରାଇମ, ପୋଲିସ ବାହିନୀର ଭିତ୍ତିଭୂମି ଓ ମାନବ ସମ୍ବଳ ସଜାଡ଼ିବା ନେଇ ଆଲୋଚନା ହେବ ।
ଅପରପକ୍ଷରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ସମ୍ପର୍କରେ ମଧ୍ୟ ଆଲୋଚନା ହେବ । ଗତ କିଛିଦିନରୁ ସାରା ଦେଶରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ କୁ ନେଇ ଚର୍ଚ୍ଚା ଲାଗିରହିଥିବା ବେଳେ ମହାରାଷ୍ଟ୍ରର ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ବଲିଉଡ଼ ତାରକା ସଲମନ ଖାନଙ୍କୁ ଧମକ ଆଦି ପ୍ରସଙ୍ଗରେ ସମ୍ମିଳନୀରେ ଆଲୋଚନା ହେବାର ସମ୍ଭାବନା ରହିଛି। ସମ୍ମିଳନୀ ପାଇଁ ରାଜ୍ୟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ୧୬୦ ଜଣ ବରିଷ୍ଠ ଆଇପିଏସଙ୍କୁ ରାଜ୍ୟ ଅତିଥି ଭବନ ରେ ରଖିବାକୁ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହାସହିତ କମିଶନରେଟ ପୋଲିସ ଉପରେ ସୁରକ୍ଷା ଦାୟିତ୍ୱ ରହିଥିବା ବେଳେ ଏହି ସମ୍ମିଳନୀକୁ ନେଇ କମିଶନରେଟ ପୋଲିସ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇସାରିଛି ।