ଲଣ୍ଡନ: ନିକଟରେ କ୍ଵାକ୍ୱେରେଲି ସାଇମଣ୍ଡସ୍ (କ୍ୟୁଏସ) ୱେବସାଇଟ୍ ପକ୍ଷରୁ ଚଳିତ ବର୍ଷ ପାଇଁ ପ୍ରକାଶ ପାଇଛି ‘ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ୍: ଏସିଆ’ର ତାଲିକା । ଏହି ତାଲିକାରେ ଏସିଆ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ସମୁଦାୟ ୯୮୪ଟି ବିଶ୍ୱବିଦ୍ୟାଳୟ ଥିବା ବେଳେ ଭାରତର ୨୨ଟି ଶିକ୍ଷାନୁଷ୍ଠାନ ଅନ୍ତର୍ଭୁକ୍ତ ଥିବା ସୂଚନା ମିଳିଛି। ସେହିପରି ଏସିଆର ଶ୍ରେଷ୍ଠ ୧୦୦ ବିଶ୍ୱବିଦ୍ୟାଳୟ ତାଲିକାରେ ଭାରତର ୬ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛି।
ସୂଚନାଯୋଗ୍ୟ ଯେ, କ୍ଵାକ୍ୱେରେଲି ସାଇମଣ୍ଡସ୍ ପକ୍ଷରୁ ‘ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ୍: ଏସିଆ’ର ସଦ୍ୟ ପ୍ରକାଶିତ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁସାରେ ସମଗ୍ର ଏସିଆରେ ଭାରତର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି, ଦିଲ୍ଲୀ (ଆଇଆଇଟିଡ଼ି) ୪୪ତମ ସ୍ଥାନ ହାସଲ କରିଥିବା ବେଳେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି, ବମ୍ବେ (ଆଇଆଇଟିବି) ୪୮ତମ ସ୍ଥାନ ହାସଲ କରିଛି। ସେହିପରି ଆଇଆଇଟି, ମାଡ୍ରାସ ୫୬ତମ ସ୍ଥାନ ହାସଲ କରିଛି। ତେବେ ପ୍ରକାଶିତ ତାଲିକାରେ ସାମିଲ ହୋଇଥିବା ଏହି ୩ ବିଶ୍ବବିଦ୍ୟାଳୟ ଦେଶର ଶ୍ରେଷ୍ଠ ୩ ବିଶ୍ୱବିଦ୍ୟାଳୟ ଭାବେ ପରିଗଣିତ ହେଉଛନ୍ତି। ସେହିପରି ତାଲିକାରେ ୬୦ତମ ସ୍ଥାନରେ ଆଇଆଇଟି, ଖଡ଼ଗପୁର ଓ ୬୨ତମ ସ୍ଥାନରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସେସ୍, ବେଙ୍ଗାଲୁରୁ ରହିଛି । ଏହି ତାଲିକାରେ ଆଇଆଇଟି, କାନପୁର ୬୭ତମ ସ୍ଥାନ ହାସଲ କରିଛି ।
ଦକ୍ଷିଣ ଏସିଆ କାଟାଗୋରିରେ ଭାରତ ଏବଂ ପାକିସ୍ତାନର ବିଶ୍ୱବିଦ୍ୟାଳୟ ରହିଥିବା ବେଳେ ଆଇଆଇଟି, ଦିଲ୍ଲୀ ୩୦୮ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶୀର୍ଷସ୍ଥାନ ହାସଲ କରିଛି । ଏହି କାଟାଗୋରିରେ ଟପ୍ ୧୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ୭ ଭାରତୀୟ ବିଶ୍ୱବିଦ୍ୟାଳୟ ରହିଛି । ଦକ୍ଷିଣ ଏସିଆ ବର୍ଗରେ ଇସଲାମାବାଦର ନ୍ୟାସନାଲ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ଏନୟୁଏସଟି) ଓ ଆଇଆଇଟି, କାନପୁର ଷଷ୍ଠତମ ସ୍ଥାନ ହାସଲ କରିଛି । ଅପରପକ୍ଷରେ ସାଉଥ୍ ଏସିଆ ରାଙ୍କିଙ୍ଗରେ ଆଇଆଇଟି ବମ୍ବେକୁ ପଛରେ ପକାଇ ଆଇଆଇଟି ଦିଲ୍ଲୀ ପ୍ରଥମ ସ୍ଥାନ ହାସଲ କରିଛି ।