ନୂଆଦିଲ୍ଲୀ: ଆସନ୍ତା ବର୍ଷ ପାକିସ୍ତାନ ଦ୍ୱାରା ଆୟୋଜିତ ହେବାକୁ ଯାଉଛି ଚାମ୍ପିଅନ୍ସ ଟ୍ରଫି। ତେବେ ଏହି ମ୍ୟାଚ ଅନୁଷ୍ଠିତ ହେବାପରେ ଭେଟେରାନ ଆଫଗାନିସ୍ତାନ କ୍ରିକେଟର ମହମ୍ମଦ ନବୀ ଦିନିକିଆ କ୍ରିକେଟରୁ ଅବସର ଗ୍ରହଣ କରିବା ନେଇ ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ଆଫଗାନିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ କାର୍ଯ୍ୟର୍ନିବାହୀ ନସିବ ଖାନ।
ସୂଚନାଯୋଗ୍ୟ ଯେ, ମହମ୍ମଦ ନବୀ ବର୍ତ୍ତମାନ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ନମ୍ବର ୧ ଅଲରାଉଣ୍ଡର ହୋଇଥିବା ବେଳେ ସେ ୨୦୦୯ ମସିହାରେ ସ୍କଟଲ୍ୟାଣ୍ଡ ବିପକ୍ଷରେ ଦିନିକିଆ କ୍ରିକେଟ ମ୍ୟାଚରେ ଡେବ୍ୟୁ କରିଥିଲେ। ଗତ ୧୫ ବର୍ଷ ଧରି ସେ ଏହି ଫର୍ମାଟରେ ଆଫଗାନିସ୍ତାନ ପାଇଁ ଖେଳୁଥିବା ବେଳେ ୫ ବର୍ଷ ପୂର୍ବେ ସେ ଟେଷ୍ଟ କ୍ରିକେଟ କ୍ୟାରିୟରରୁ ଅବସର ନେଇଥିଲେ। ତେବେ ଖୁବଶୀଘ୍ର ମହମ୍ମଦ ନବୀ ଦିନିକିଆ କ୍ରିକେଟରୁ ଅବସର ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତେବେ ଆଗକୁ ସେ ଆଫଗାନିସ୍ତାନ ପକ୍ଷରୁ ଟି -୨୦ କ୍ରିକେଟ ଖେଳିବା ଜାରି ରଖିବା ନେଇ ସୂଚନା ମିଳିଛି।
ନବୀଙ୍କ ଅବସରକୁ ନେଇ ଆଫଗାନିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ କାର୍ଯ୍ୟର୍ନିବାହୀ ନାସିବ ଖାନ ସୂଚନା ଦେଇ କହିଛନ୍ତି ଯେ, ‘ନବୀ ଚାମ୍ପିଅନ୍ସ ଟ୍ରଫି ପରେ ନିଜର ଦିନିକିଆ କ୍ୟାରିୟର ଶେଷ କରିବାକୁ ଚାହୁଁଛନ୍ତି ଏବଂ ଆମେ ତାଙ୍କ ନିଷ୍ପତ୍ତିକୁ ସ୍ବାଗତ କରୁଛୁ।’
ସେହିପରି କ୍ରିକବଜ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ ନବୀ ଏସିବିଙ୍କୁ ଅବସର ନେବାକୁ ନିଷ୍ପତ୍ତି ନେଇଥିବା ସୂଚନା ଦେଇଥିବା ଓ ଏହି ନିଷ୍ପତ୍ତିକୁ ବୋର୍ଡ ମଧ୍ୟ ଗ୍ରହଣ କରାଥିବା ସୂଚନା ମିଳିଛି। ତେବେ ଟେଷ୍ଟ ଏବଂ ଦିନିକିଆ କ୍ରିକେଟରୁ ଅବସର ନେବା ପରେ ସେ ୨୦୨୬ ମସିହାରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ଖେଳିବା ସମ୍ଭାବନା ରହିଥିବା ସୂଚନା ମିଳିଛି।
ପ୍ରକାଶଥାଉ କି, ୨୦୦୯ ମସିହାରେ ମହମ୍ମଦ ନବୀ ସ୍କଟଲ୍ୟାଣ୍ଡ ବିପକ୍ଷରେ ଡେବ୍ୟୁ କରି ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବା ସହିତ ଏହି ମ୍ୟାଚରେ ସେ ୮ ଓଭର ବୋଲିଂ କରିଥିଲେ। ସେ ତାଙ୍କର ୧୫ ବର୍ଷ କ୍ୟାରିୟରରେ ଆଫଗାନିସ୍ତାନ ପାଇଁ ମୋଟ ୧୬୫ ଟି ଦିନିକିଆ ମ୍ୟାଚ ଖେଳି ହାରାହାରି ୨୭.୩୦ ରେ ୩୫୪୯ ରନ ସଂଗ୍ରହ ଏବଂ ୧୭୧ ଉଇକେଟ ମଧ୍ୟ ନେଇଛନ୍ତି। ମହମ୍ମଦ ନବୀ ଆଫଗାନିସ୍ତାନର ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି ହୋଇଥିବା ବେଳେ ଡାହାଣ ହାତରେ ବ୍ୟାଟିଂ ବ୍ୟତୀତ ସେ ଅଫ ସ୍ପିନ ବୋଲିଂ ମଧ୍ୟ କରି ଦେଶ ପାଇଁ ଅନେକ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହାସହ ସେ ବର୍ତ୍ତମାନ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ନମ୍ବର ୧ ଅଲରାଉଣ୍ଡର ହୋଇଥିବା ବେଳେ ବାଂଲାଦେଶ ବିପକ୍ଷ ଶେଷ ଦିନିକିଆ ମ୍ୟାଚରେ ୭୧ ରନର ସ୍କୋରରେ ୫ ଉଇକେଟ ବିନିମୟରେ ୭୯ ବଲରେ ୮୪ ରନ୍ର ଚମତ୍କାର ଇନିଂସ ଖେଳି ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।