ନୂଆଦିଲ୍ଲୀ: ଭାରତ ପାଇଁ ଶୁକ୍ରବାର ଏକ ଭାଗ୍ୟଶାଳୀ ଦିବସ ଭାବେ ପରିଣତ ହୋଇଥିବା ବେଳେ ଡର୍ବାନରେ ଦଳ ହାସଲ କରିଛି ଦମଦାର ବିଜୟ । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହୋଇଥିବା ଚାରି ମ୍ୟାଚ୍ ବିଶିଷ୍ଟ ପ୍ରଥମ ଟି-୨୦ ମ୍ୟାଚରେ ୬୧ ରନରେ ଭାରତୀୟ ଦଳ ଜିତିଥିବା ସୂଚନା ମିଳିଛି। ଏହି ମ୍ୟାଚରେ ଟସ୍ ହାରି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିବା ବେଳେ ଆରମ୍ଭରୁ ବ୍ୟାଟିଂ ଓପନର ଅଭିଷେକ ଶର୍ମା ମାତ୍ର ୭ ରନ୍ କରି ଆଉଟ ହୋଇଥିଲେ। କିନ୍ତୁ ସଞ୍ଜୁ ସାମସନ୍ ତାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମାତ୍ର ୪୭ ବଲରେ ଶତକ ହାସଲ କରିଥିଲେ। ଏହି ଶତକ ସହିତ ସେ ଲଗାତାର ଦୁଇଟି ମ୍ୟାଚରେ ଦୁଇଟି ଶତକ ହାସଲ କରିଛନ୍ତି। ଏହି ଶତକରେ ୭ ଚୌକ ଏବଂ ୯ ଛକା ସାମିଲ ଥିଲା। ସଞ୍ଜୁଙ୍କ ଶତକ ବଳରେ ଭାରତ ୧୪.୧ ଓଭରରେ ମାତ୍ର ଦୁଇଟି ଉଇକେଟ ହରାଇ ୧୬୩ ରନ୍ ସ୍କୋର କରିଥିଲା।
ଅପରପକ୍ଷରେ ଟିମ୍ ଇଣ୍ଡିଆ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ଅଭିଯାନ ଆରମ୍ଭ କରିଥିବା ବେଳେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ରେ ଲଗାତାର ଦୁଇଟି ଶତକ ହାସଲ କରି ରେକର୍ଡ ସୃଷ୍ଟି କରିଛନ୍ତି ସଞ୍ଜୁ ସାମସନ । ଏପରି କରିବାରେ ସେ ବିଶ୍ୱର ଚତୁର୍ଥ ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଥିବା ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ଡେବ୍ୟୁ କରିବାର ୯ ବର୍ଷ ପରେ ସଞ୍ଜୁ ଏହି ରେକର୍ଡ ହାସଲ କରିଛନ୍ତି। ପ୍ରଥମ ଶତକ ହାସଲ କରିବାର ୨୭ ଦିନ ପରେ ଦ୍ୱିତୀୟ ଶତକ ହାସଲ କରି ଥିବା ସାମସନ ଚମତ୍କାର ବ୍ୟାଟିଂ ଯୋଗୁଁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ଟସ ହାରି ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ବିନିମୟରେ ୨୦୨ ରନ୍ ସଂଗ୍ରହ କରିଥିଲା । ଏହାର ପ୍ରତ୍ୟୁତ୍ତରରେ ଦକ୍ଷିଣ ଆଫ୍ରିକା ୧୭.୫ ଓଭରରେ ୧୪୧ ରନ୍ କରି ଅଲ ଆଉଟ୍ ହୋଇଥିଲା । ମ୍ୟାଚ୍ ବିଜୟରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ତିଲକ ବର୍ମା, ରବି ବିଷ୍ଣୋଇ ଓ ବରୁଣ ଚକ୍ରବର୍ତ୍ତୀ । ରବି ଓ ବରୁଣ ଭଭୟ ୩ଟି ଲେଖାଏ ୱିକେଟ୍ ନେଇଥିଲେ ।