ଭୁବନେଶ୍ବର: ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଜାରି କରାଯାଉଥିବା ନିର୍ଦ୍ଦେଶର ସଠିକ ସମୟରେ ପାଳନ ହେଉ ନଥିବାରୁ ଏନେଇ ଅଦାଲତ ଅବମାନନା ନୋଟିସ ଜାରି ହେଉଥିବା ଦେଖାଯାଉଛି। ସେଥିପାଇଁ ସରକାରଙ୍କୁ ଅଧିକାଂଶ ସମୟରେ ଅପ୍ରୀତିକର ସମ୍ମୁଖୀନ ହେଉଥିବା ଦର୍ଶାଇ ଧାର୍ଯ୍ୟ ସମୟରେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶର ତୁରନ୍ତ କରଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସବୁ ବିଭାଗକୁ ଚିଠି ଲେଖିଛନ୍ତି। ଉଚ୍ଚ ନ୍ୟାୟାଳୟଙ୍କ ଆଦେଶର କାର୍ଯ୍ୟକାରୀ ଦିଗରେ ନିଷ୍ପତ୍ତି ନେବା ସହତ ଏ ସଂକ୍ରାନ୍ତରେ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀଙ୍କ ନିୟନ୍ତ୍ରଣରେ ଥିବା ସରକାରୀ କାର୍ଯ୍ୟାଳୟକୁ ନିର୍ଦେଶ ଜାରି କରିବାକୁ ଏହି ଚିତି ଲେଖାଯାଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଜାରି କରାଯାଉଥିବା ନିର୍ଦ୍ଦେଶର ସଠିକ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ରାଜ୍ୟର ସବୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ, ସଚିବ ଓ ଆୟୁକ୍ତଙ୍କ ନିକଟକୁ ଚିଠି ଲେଖିଛନ୍ତି । ଏହି ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ‘ଓଡ଼ିଶା ଉଚ୍ଚ ନ୍ୟାଳୟାଳୟର ମୁଖ୍ୟ ବିଚାରପତି ପ୍ରତି ଶୁକ୍ରବାର ଅଦାଲତ ଅବମାନନା ମାମଲା ଗୁଡ଼ିକର ସ୍ବତନ୍ତ୍ର ଶୁଣାଣି କରୁଛନ୍ତି। ଗତ ଅକ୍ଟୋବର ୪ରେ ମୁଖ୍ୟ ବିଚାରପତି ଏ ସଂକ୍ରାନ୍ତ ଏକ ଶୁଣାଣି କାଳରେ ବିରକ୍ତି ପ୍ରକାଶ କରିଥିଲେ। ଧାର୍ଯ୍ୟ ସମୟରେ ନ୍ୟାୟାଳୟଙ୍କ ନିର୍ଦେଶ ଅନୁପାଳନ ହାର ଖୁବ୍ ନଗଣ୍ୟ ଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ବହୁସଂଖ୍ୟକ ଅଦାଲତ ଅବମାନନା ସଂକ୍ରାନ୍ତ ନିର୍ଦେଶ କାର୍ଯ୍ୟକାରୀ ନହୋଇ ପଡ଼ିରହୁଛି। ନିର୍ଦେଶ କାର୍ଯ୍ୟକାରୀ ପାଇଁ ସରକାରୀ କାର୍ଯ୍ୟାଳୟ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି।’ ତେବେ ମୁଖ୍ୟ ବିଚାରପତିଙ୍କ ଏହି ନିର୍ଦ୍ଦେଶ ତଥା ଅସନ୍ତୋଷକୁ ଦୃଷ୍ଟିର ରଖି କୋର୍ଟଙ୍କ ଆଦେଶ ଧାର୍ଯ୍ୟ ସମୟରେ କାର୍ଯ୍ୟକାରୀ କରିବା ଦିଗରେ ତୁରନ୍ତ ନିଷ୍ପତ୍ତି ନେବା ସହ ଅଦାଲତ ଅବମାନନା ମାମଲାରୁ ବର୍ତ୍ତିବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟ ସଚିବ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇ ଚିଠି ଲେଖିଥିବା ସୂଚନା ମିଳିଛି।