ସିଲିଗୁଡ଼ି: ନିକଟରେ ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଲାଗୁ ହୋଇଥିବା ବେଳେ ଏହି ଆଇନ ଅନୁଯାୟୀ ଏପର୍ଯ୍ୟନ୍ତ ନାଗରିକତା ଗ୍ରହଣ କରିଥିବା ସଂଖ୍ୟା ସ୍ପଷ୍ଟ ହୋଇନାହିଁ। କିନ୍ତୁ ପଶ୍ଚିମବଙ୍ଗର ସିଲିଗୁଡ଼ିରେ ଭାରତୀୟ ନାଗରିକତା ମାତ୍ର ୧୦ ହଜାର ଟଙ୍କାରେ ବିକ୍ରି ହେଉଥିବା ଦୃଶ୍ୟ ସ୍ପଷ୍ଟ ହୋଇଛି। ଏଠାରେ ଜାଲ୍ ପାନ୍ କାର୍ଡ ଓ ଭୋଟର କାର୍ଡ ତିଆରି ବ୍ୟବସାୟ ଜାରି ରହିଥିବା ବେଳେ ମାତ୍ର ୧୦ ହଜାର ଟଙ୍କାରେ ତିଆରି ହେଉଛି ନକଲି ଆଧାର କାର୍ଡ। ଆଉ ଏହି କାର୍ଡର ଫାଇଦା ଉଠାଉଛନ୍ତି ନେପାଳୀ ଓ ବାଂଲାଦେଶୀମାନେ । ଏହାସହିତ ଏହି ନକଲି କାର୍ଡ ବଳରେ ଭାରତୀୟ ନାଗରିକତା ହାସଲ କରୁଛନ୍ତି।
ସୂଚନାଯୋଗ୍ୟ ଯେ, ନିକଟରେ ପ୍ରକାଶ ପାଇଛି ମିଲିଟାରୀ ଇଣ୍ଟେଲିଜେନ୍ସର ସୂଚନା । ତେବେ ଏହି ସୂଚନା ଅନୁସାରେ ପଶ୍ଚିମବଙ୍ଗସ୍ଥିତ ସିଲିଗୁଡ଼ିରେ ଭାରତୀୟ ନାଗରିକତା ପରିଚୟପତ୍ରକୁ ଜାଲ ପ୍ରକ୍ରିୟାରେ ତିଆରି କରି ଏହାକୁ ୧୦ ହଜାର ଟଙ୍କାରେ ବିକ୍ରି କରାଯାଉଥିବା ଦେଖାଯାଉଛି ।
ନିକଟରେ ଆଧାର କାର୍ଡ ଜାଲ୍ କରିଥିବା ଅଭିଯୋଗରେ ସଞ୍ଜୟ ସରକାର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଜାଲିଆତି ଓ ଠକେଇ ଅଭିଯୋଗରେ ଅଭିଯୁକ୍ତକୁ ଶନିବାର ସିଲିଗୁଡ଼ି କୋର୍ଟରେ ହାଜର କରାଯାଇଥିଲା। ସେ ୧୦ ହଜାର ଟଙ୍କା ନେଇ ନେପାଳ ନାଗରିକଙ୍କ ପାଇଁ ଆଧାର କାର୍ଡ ତିଆରି କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ।ତେବେ ଶୁଣାଣି ସମୟରେ ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ପୋଲିସକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି। ଏବେ ପୋଲିସ ଅଭିଯୁକ୍ତକୁ ପଚରାଉଚରା କରିବା ସହିତ ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଠାବ କରିବାକୁ ଚେଷ୍ଟା କରୁଛି।
ପ୍ରକାଶଥାଉ କି, ସିଲିଗୁଡ଼ି ନିକଟସ୍ଥ ଫନସେଦୱା ଅଞ୍ଚଳ ବାଂଲାଦେଶ ସୀମାରେ ରହିଥିବା ବେଳେ ଏହି ଅଂଚଳରେ ରହୁଥିବା ବାଂଲାଦେଶ ଓ ନେପାଳର ବହୁ ସଂଖ୍ୟକ ଲୋକ ଦ୍ବିତୀୟ ନାଗରିକ। ତେବେ ପୋଲିସ କିଛି ବାଂଲାଦେଶୀ ଲୋକଙ୍କୁ ମଧ୍ୟ ଧରିଛି ଯେଉଁମାନଙ୍କ ଠାରୁ ଭାରତୀୟ ଆଧାର କାର୍ଡ ମିଳିଛି। ଏ ନେଇ ନକ୍ସଲବାରୀ ଏସ୍ଡିପିଓ ନେହା ଜୈନ କହିଛନ୍ତି, “ଜାଲିଆତି ଓ ଠକେଇ ଅଭିଯୋଗରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ତାଙ୍କ ଦୋକାନରୁ ୨ଟି କମ୍ପ୍ୟୁଟର, ୪ଟି ନକଲି ଆଧାର କାର୍ଡ, ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରାଯାଇଛି। ପ୍ରମାଣ ଆଧାରରେ ତଦନ୍ତକୁ ଆଗେଇ ନିଆଯାଉଛି। ନକଲି ପାସପୋର୍ଟ ପ୍ରସଙ୍ଗରେ ମଧ୍ୟ ତଦନ୍ତ ଚାଲିଛି, କିନ୍ତୁ କୌଣସି ସଠିକ ପ୍ରମାଣ ମିଳିନାହିଁ।”