ନୂଆଦିଲ୍ଲୀ: ନିକଟରେ ଶିକ୍ଷା ଓ ନିଯୁକ୍ତି ବ୍ୟବଧାନକୁ ଦୂର କରିବା ତଥା ବେକାରୀ ଯୁବପିଢ଼ି ମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ପିଏମ ଇଣ୍ଟର୍ଣ୍ଣସିପ ଯୋଜନା । ଏହି ଯୋଜନାରେ ଦେଶର ଶ୍ରେଷ୍ଠ ୫୦୦ କମ୍ପାନୀରେ ଗୋଟେ ବର୍ଷ ପାଇଁ ଇଣ୍ଟର୍ଣ୍ଣସିପ କରିବାର ସୁଯୋଗ ସମ୍ପର୍କରେ ସୂଚନା ମିଳିଥିଲା। ଏଥିପାଇଁ ଗତ ଅକ୍ଟୋବର ୧୨ ତାରିଖରୁ ଅନଲାଇନ ମାଧ୍ୟମରେ ଆବେଦନ ହୋଇଥିବା ବେଳେ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଏହାର ସମୟସୀମା ଧାର୍ଯ୍ୟ କରାଯାଇଥିଲା ।
ସୂଚନାଯୋଗ୍ୟ ଯେ, ପିଏମ ଇଣ୍ଟର୍ଣ୍ଣସିପ ଯୋଜନାର ଲକ୍ଷ୍ୟ ଆଗାମୀ ୫ ବର୍ଷ ମଧ୍ୟରେ ପ୍ରାୟ ୧ କୋଟି ଯୁବପିଢ଼ିଙ୍କ ଦକ୍ଷତା ବିକାଶ ସହ ଦେଶରୁ ବେକାରୀ ସମସ୍ୟା ଦୂର କରିବା ହୋଇଥିବା ବେଳେ ଏହି ଇଣ୍ଟର୍ଣ୍ଣସିପରେ ୬ ହଜାର ଟଙ୍କା ସହ ଆର୍ଥିକ ସହାୟତା ୫ ହଜାର ଟଙ୍କା ଲେଖାଏଁ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି ।
ପ୍ରକାଶଥାଉ କି, ଚଳିତ ବର୍ଷ ବଜେଟରେ ଯୁବପିଢ଼ି ମାନଙ୍କୁ ଇଣ୍ଟର୍ଣ୍ଣସିପ ସୁଯୋଗ ପ୍ରଦାନ କରାଯିବ ବୋଲି ଅର୍ଥ ମନ୍ତ୍ରୀ ଘୋଷଣା କରିଥିଲେ । ଆସନ୍ତା ଡିସେମ୍ବର ୨ରୁ ଏହି ଇଣ୍ଟର୍ଣ୍ଣସିପ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବା ବେଳେ ଏହାର ସମୟ ସୀମା ୧୨-୧୩ ମାସ ରହିବ। ଏହାଫଳରେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ପ୍ରାୟ ୧ ଇଣ୍ଟର୍ଣ୍ଣସିପ ପ୍ରଦାନ କରାଯାଇପାରିବ ଯାହା ଫଳରେ ଶିକ୍ଷା ଓ ନିଯୁକ୍ତିର ବ୍ୟବଧାନ ଦୂର ହେବା ସହିତ ଯୁବକ ଯୁବତୀ ସଶକ୍ତ ହେବେ ।