ୱାଶି॰ଟନ: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଦିନକୁ ଦିନ ତିକ୍ତତା ବୃଦ୍ଧି ପାଉଥିବା ବେଳେ ଏନେଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ବାର୍ତ୍ତାଳାପ କରିଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟେଲିଫୋନ ଜରିଆରେ ବାର୍ତ୍ତାଳାପ ସମୟରେ ଯୁଦ୍ଧ ବନ୍ଦ କରିବାକୁ ପୁଟିନଙ୍କୁ ପରାମର୍ଶ ଦେଇଛନ୍ତି ଟ୍ରମ୍ପ । ଏହି ସମୟରେ ୟୁରୋପରେ ଆମେରିକା ସେନାର ଉପସ୍ଥିତି ରହିଥିବାରୁ ଯୁଦ୍ଧକୁ ଆଗକୁ ନ ବଢ଼ାଇବାକୁ ସେ ପୁଟିନଙ୍କୁ କହିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ବୁଧବାର ଦିନ ଟ୍ରମ୍ପ ପ୍ରଥମେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନ୍ସ୍କିଙ୍କ ସହିତ କଥା ହେବା ପରେ ଗୁରୁବାର ପୁଟିନଙ୍କ ସହିତ ଟେଲିଫୋନ ମାଧ୍ୟମରେ କଥା ହୋଇଥିଲେ। ଏହି ସମୟରେ ସେ ୟୁକ୍ରେନ ବିରୋଧରେ ଚାଲିଥିବା ଯୁଦ୍ଧ ବିଷୟରେ ଆଲୋଚନା କରି ସଂଘର୍ଷକୁ ନ ବଢ଼ାଇବାକୁ ପରାମର୍ଶ ଦେଇଥିଲେ। ବାର୍ତ୍ତାଳାପ ସମୟରେ ଦୁଇ ନେତା ୟୁକ୍ରେନରେ ଚାଲିଥିବା ବିବାଦର ସମାଧାନ ସମେତ ଉପମହାଦେଶରେ ଶାନ୍ତି ବଜାୟ ରଖିବା ର ପ୍ରୟାସ ଉପରେ ଆଲୋଚନା କରିଥିଲେ।
ଅପରପକ୍ଷରେ ଟ୍ରମ୍ପଙ୍କ ସହିତ ଆଲୋଚନାର ମାତ୍ର ୪୮ ଘଣ୍ଟା ପରେ ଶନିବାର ବିଳମ୍ବିତ ରାତିରେ ୟୁକ୍ରେନ ପକ୍ଷରୁ ରୁଷ ଉପରେ ୩୪ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିବା ସୂଚନା ମିଳିଛି। ରୁଷ ମଧ୍ୟ ଏହାର ପ୍ରତ୍ୟୁତ୍ତର ଦେଇଥିବା ସୂଚନା ମିଳିଛି।
ପ୍ରକାଶଥାଉ କି, ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ସମୟରେ ଟ୍ରମ୍ପ ନିର୍ବାଚନ ପ୍ରଚାରରେ ଦୃଢ଼ୋକ୍ତି ବାଢ଼ିଥିଲେ ଯେ, ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଗୋଟିଏ ଦିନରେ ରୁଷ-ୟୁକ୍ରେନ ଯୁଦ୍ଧକୁ ସମାପ୍ତ କରିବେ।