କୋଚି: କୋଚି ସହରର କୂଳରେ ଥିବା ବୋଲଗାଟି ୱାଟରଡ୍ରୋମରେ ଅବତରଣ କରିଛି ‘ଡେ ହାଭିଲାଣ୍ଡ କାନାଡା’ ସି-ପ୍ଲେନ୍ । କେରଳରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଏହି ସି-ପ୍ଲେନ୍ ର ବ୍ୟବସ୍ଥା ହୋଇଥିବା ବେଳେ ରବିବାର ସନ୍ଧ୍ୟାରେ ଏହା ଅବତରଣ କରିଥିବା ସୂଚନା ମିଳିଛି। ସୋମବାର ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ପିଏ ମହମ୍ମଦ ରିୟାସ୍ ଏହି ୧୭ଟି ସିଟ୍ ବିଶିଷ୍ଟ ବିମାନର ପ୍ରଥମ ସେବାକୁ ମାଟୁପେଟିକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ରବିବାର ଅବତରଣ କରିଥିବା ଏହି ବିମାନକୁ ପର୍ଯ୍ୟଟନ ସଚିବ କେ. ବିଜୁ, ବିମାନ ଚଳାଚଳ ସଚିବ ବିଜୁ ପ୍ରଭାକର, ଜିଲ୍ଲାପାଳ ଏନ.ଏସ.କେ ଉମେଶ, ରାଜ୍ୟ ପର୍ଯ୍ୟଟନ ଅତିରିକ୍ତ ନିର୍ଦ୍ଦେଶକ ପି. ବିଷ୍ଣୁରାଜ ଏବଂ ବିଭିନ୍ନ ପର୍ଯ୍ୟଟନ ସଂଘର ପ୍ରତିନିଧିମାନେ ସ୍ୱାଗତ କରିଥିଲେ।
ସୂଚନାଯୋଗ୍ୟ ଯେ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (ଏମଓସିଏ)ର ଆଞ୍ଚଳିକ ଯୋଗାଯୋଗ ଯୋଜନା (ଆରସିଏସ)-ଉଡାନ ଅଧୀନରେ ଆସୁଥିବା ଏହି ସି-ପ୍ଲେନ୍ “ଡେ ହାଭିଲାଣ୍ଡ କାନାଡା”ର ଲକ୍ଷ୍ୟ କେରଳର ୪ଟି ଅନ୍ତର୍ଜାତୀୟ ବିମାନବନ୍ଦର ସହିତ ଯୋଗାଯୋଗ ବୃଦ୍ଧି କରିବା ହୋଇଥିବା ବେଳେ ଏହା ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଆଭ୍ୟନ୍ତରୀଣ ଅଞ୍ଚଳ ମଧ୍ୟରେ ଯାତ୍ରା ସମୟ ଯଥେଷ୍ଟ ପରିମାଣରେ ସଞ୍ଚୟ କରିବା ନେଇ ସୂଚନା ମିଳିଛି।
ସୋମବାର ଏହାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ପି.ରାଜୀବ ବୋଲଗଟି ପ୍ୟାଲେସରେ ଏହାର ଅଧ୍ୟକ୍ଷତା କରିବା ସହିତ ଜଳ ସମ୍ପଦ ମନ୍ତ୍ରୀ ରୋଶି ଅଗଷ୍ଟିନଙ୍କ ଉପସ୍ଥିତିରେ “ଡି ହାଭିଲାଣ୍ଡ କାନାଡା”ର କ୍ରୁ ଏବଂ ଯାତ୍ରୀମାନଙ୍କୁ ଇଡୁକ୍କି ଜିଲ୍ଲାର ମାଟ୍ଟୁପେଟି ଡ୍ୟାମରେ ସ୍ୱାଗତ କରାଯିବ। ଏହି ସେବାରେ ୯, ୧୫, ୧୭, ୨୦ ଓ ୩୦ ସିଟ୍ କ୍ଷମତା ବିଶିଷ୍ଟ ଛୋଟ ବିମାନ ବ୍ୟବହାର କରାଯିବ, ଯେଉଁଥିରେ ଯାତ୍ରୀମାନେ ଭାସୁଥିବା ୱାଟରଡ୍ରୋମରେ ଚଢ଼ିବା ନେଇ ସୂଚନା ମିଳିଛି।
ପ୍ରକାଶଥାଉ କି, ରବିବାର ପୂର୍ବାହ୍ନ ୧୧ଟାରେ କାନାଡାର ପାଇଲଟ ଡାନିଏଲ ମଣ୍ଟଗୋମେରୀ ଓ ରୋଜର ବ୍ରିଣ୍ଡର ଏହି ବିମାନ ସହିତ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ଏହି ସମୟରେ ଯୋଗେଶ ଗର୍ଗ, ସନ୍ଦୀପ ଦାସ, ସୟଦ କାମରାନ ହୁସେନ ଓ ମୋହନ ସିଂ ଏହି ଟିମ୍ ରେ ସାମିଲ ଥିଲେ।