ୱାଶି॰ଟନ: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଦିନକୁ ଦିନ ତିକ୍ତତା ବୃଦ୍ଧି ପାଉଥିବା ବେଳେ ଏନେଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ବାର୍ତ୍ତାଳାପ କରିଥିଲେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟେଲିଫୋନ ଜରିଆରେ ବାର୍ତ୍ତାଳାପ ସମୟରେ ଯୁଦ୍ଧ ବନ୍ଦ କରିବାକୁ ପୁଟିନଙ୍କୁ ପରାମର୍ଶ ଦେଇଥିଲେ ଟ୍ରମ୍ପ । ଏହି ସମୟରେ ୟୁରୋପରେ ଆମେରିକା ସେନାର ଉପସ୍ଥିତି ରହିଥିବାରୁ ଯୁଦ୍ଧକୁ ଆଗକୁ ନ ବଢ଼ାଇବାକୁ ସେ ପୁଟିନଙ୍କୁ ପରାମର୍ଶ ଦେଇଥିବା ସୂଚନା ମିଳିଥିଲା । ତେବେ ଭ୍ଲାଦିମିର ପୁଟିନଙ୍କ ସହ ହୋଇଥିବା ଏହି ବାର୍ତ୍ତାଳାପ ସମ୍ପର୍କରେ ୟୁକ୍ରେନ୍ ସରକାରଙ୍କୁ ଅବଗତ କରାଯାଇଥିବା ଆମେରିକା ପକ୍ଷରୁ କୁହାଯାଇଥିଲା। ଏବଂ ଏହାକୁ ନେଇ ସେ କୌଣସି ଆପତ୍ତି ଉଠାଇନଥିବା ମଧ୍ୟ କୁହାଯାଇଥିଲା। କିନ୍ତୁ ସଦ୍ୟତମ ସୂଚନା ଅନୁଯାୟୀ ୟୁକ୍ରେନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ମନ୍ତବ୍ୟକୁ ଏହାକୁ ଖଣ୍ଡନ କରାଯାଇଛି। ମନ୍ତ୍ରଣାଳୟ କହିଛି ଯେ କିଭକୁ କଲ୍ ସମ୍ପର୍କରେ କୌଣସି ପ୍ରାରମ୍ଭିକ ସୂଚନା ଦିଆଯାଇନାହିଁ ଏବଂ ଆମେରିକା ପକ୍ଷରୁ ଦିଆଯାଇଥିବା ଏହି ତଥ୍ୟ ସମ୍ପୂର୍ଣ୍ଣ ମିଥ୍ୟା।
ଶୁକ୍ରବାର କ୍ରେମ୍ଲିନ୍ ରେ ନିଶ୍ଚିତ କରାଯାଇଥିଲା ଯେ ପୁଟିନ ଟ୍ରମ୍ପଙ୍କ ସହ ୟୁକ୍ରେନ୍ ବିଷୟରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ରୁଷ୍ ତା’ର ଦାବି ବଦଳାଇବାକୁ ପ୍ରସ୍ତୁତ ଅଛି । ୟୁକ୍ରେନ ନାଟୋରେ ଯୋଗ ଦେବା ଯୋଜନାକୁ ତ୍ୟାଗ କରିବା ନେଇ ରୁଷ୍ ଚାହୁଁଛି ବୋଲି କହିଥିଲା ।