ବାଲେଶ୍ବର: ଚାନ୍ଦିପୁର ସମନ୍ବିତ ପରୀକ୍ଷଣ ଘାଟି (ଆଇଟିଆର)ରୁ ସଫଳତାର ସହ ପରୀକ୍ଷଣ ହୋଇଛି ଦୂରଗାମୀ ଆଟାକ୍ କ୍ରୁଜ ମିସାଇଲ୍ (ଏଲଆରଏଲଏସିଏମ)। ବର୍ଦ୍ଧିତ କାର୍ଯ୍ୟଦକ୍ଷତା ନିଶ୍ଚିତ କରିବାକୁ ଏହି କ୍ଷେପଣାସ୍ତ୍ରକୁ ସମ୍ପୂର୍ଣ୍ଣ ସ୍ବଦେଶୀ ଶୈଳୀରେ ଡିଜାଇନ୍ କରାଯାଇଥିବା ବେଳେ ଏହା ଲମ୍ବା ଦୂରତା ଅତିକ୍ରମ କରି ଶତ୍ରୁର ପୋଷ୍ଟକୁ ଟାର୍ଗେଟ କରିବାରେ ସମ୍ପୂର୍ଣ୍ଣ ସକ୍ଷମ ହେବ ।
ମଙ୍ଗଳବାର ସଂଧ୍ୟାରେ ପ୍ରତିରକ୍ଷା ବିକାଶ ଓ ଗବେଷଣା ସଂସ୍ଥା (ଡିଆରଡିଓ) ପକ୍ଷରୁ ଏହି ପରୀକ୍ଷଣ ହୋଇଥିବା ବେଳେ ଏହା ସଫଳତାର ସହ ଶେଷ ହୋଇଥିବା ସୂଚନା ମିଳିଛି । ଚାନ୍ଦିପୁର ଆଇଟିଆରସ୍ଥିତ ଏକ ମୋବାଇଲ ଲଞ୍ଚପ୍ୟାଡରୁ ଏହି ପରୀକ୍ଷଣ କରାଯାଇଥିବା ବେଳେ ଏହି ସମୟରେ ସମସ୍ତ ପାରାମିଟର ସଠିକ ଭାବେ କାମ କରିଥିବା ଓ ପରୀକ୍ଷଣ ସଫଳ ହୋଇଥିବା ସଂସ୍ଥା ପକ୍ଷରୁ ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ, ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ରର ପରୀକ୍ଷଣ ସମୟରେ ରାଡାର, ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଏବଂ ଟେଲିମେଟ୍ରି ଉପକରଣ ସମେତ ବିଭିନ୍ନ ସେନସର ମାଧ୍ୟମରେ ଏହାର ସଠିକତା ଓ କାର୍ଯ୍ୟଦକ୍ଷତା ଉପରେ ନଜର ରଖାଯାଇଥିଲା ।
ଅପରପକ୍ଷରେ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ‘ଡିଆରଡିଓ’ର ସମସ୍ତ ବୈଜ୍ଞାନିକଙ୍କୁ ‘ଏକ୍ସ’ ମାଧ୍ୟମରେ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।