ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକରେ ୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୁଧବାର ଅପରାହ୍ନରେ ଲୋକସେବା ଭବନର ୩ୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ୫ଟି, ସାଧାରଣ ପ୍ରଶାସନ ବିଭାଗର ଗୋଟିଏ ଓ ଜଳସମ୍ପଦ ବିଭାଗର ଗୋଟିଏ ଲେଖାଏ ପ୍ରସ୍ତାବ ରହିଥିବାବେଳେ ବିଧାନସଭା ଅଧିବେଶନ ଆହୂତ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ ମିଳିଛି ।
ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ, ଚାକିରି ଚୟନ ପରୀକ୍ଷାରେ ପାରଦର୍ଶିତା ଆଣିବା ପାଇଁ ‘ଓଡ଼ିଶା ସାର୍ବଜନୀନ ପରୀକ୍ଷା(ଅନୁଚିତ୍ ସାଧନ ନିବାରଣ) ଆଇନ-୨୦୨୪’କୁ କ୍ୟାବିନେଟ୍ ରେ ମଞ୍ଜୁରୀ ମିଳିଛି। ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି), ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (ଓଏସଏସସି), ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ ଆୟୋଗ (ଓଏସଏସଏସସି), ସର୍ଭିସ ସିଲେକ୍ସନ ବୋର୍ଡ (ଏସଏସବି), ଓଡ଼ିଶା ପୋଲିସ ସିଲେକ୍ସନ ବୋର୍ଡ (ଓପିଏସବି), ଓଡ଼ିଶା ଶିକ୍ଷା(ରାଜ୍ୟ ପାଇଁ ସିଲେକ୍ସନ ବୋର୍ଡ) ରୁଲସ-୧୯୯୨, ଓଡ଼ିଶା ଜେଇଇ ସମେତ ରାଜ୍ୟ ସରକାରଙ୍କ ଦ୍ୱାରା ନିୟୋଜିତ କିମ୍ବା ଗଠିତ ଚୟନ କମିଟି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତି ଏଜେନ୍ସି ଦ୍ୱାରା ପରିଚାଳିତ ସମସ୍ତ ସରକାରୀ ପରୀକ୍ଷା ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ପାରଦର୍ଶୀ କରିବାକୁ ଏହି ନୂଆ ଆଇନ ଅଣାଯାଇଛି । ଏହି ବିଲ୍କୁ ଆସନ୍ତା ଶୀତ ଅଧିବେଶନରେ ବିଧାନସଭାରେ ପାରିତ କରିବାରକୁ ସରକାର ଲକ୍ଷ୍ୟ ରଖିଥିବା ସୂଚନା ମିଳିଛି।