ରାଞ୍ଚି : ବୁଧବାର ଅନୁଷ୍ଠିତ ହୋଇଥିବା ଝାଡଖଣ୍ଡ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୪୩ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଥିବା ବେଳେ ଏହି ପର୍ଯ୍ୟାୟରେ ସାମଗ୍ରିକ ମତଦାନ ହାର ରହିଛି ୬୪.୮୩%। ଏହି ପର୍ଯ୍ୟାୟରେ ସକାଳ ୭ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିବା ବେଳେ ୬୮୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି । ତେବେ ୯୫୦ଟି ବୁଥରେ ଅପରାହ୍ଣ ୪ଟା ସୁଦ୍ଧା ଭୋଟ ଗ୍ରହଣ ଶେଷ ହୋଇଥିଲା। ଆସନ୍ତା ନଭେମ୍ବର ୨୦ରେ ଝାଡଖଣ୍ଡ ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ।
ଅପରପକ୍ଷରେ, ଝାଡଖଣ୍ଡର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସହିତ କେରଳର ୱାଇନାଡ ଲୋକସଭା ଆସନ ସମେତ ୧୦ଟି ରାଜ୍ୟର ୩୧ଟି ବିଧାନସଭା ଆସନର ଉପନିର୍ବାଚନ ପାଇଁ ମଧ୍ୟ ମତଦାନ ସମାପ୍ତ ହୋଇଛି। ଉପନିର୍ବାଚନ ଅନୁଷ୍ଠିତ ହୋଇଥିବା ବିଧାନସଭା କ୍ଷେତ୍ର ମଧ୍ୟରେ ରାଜସ୍ଥାନର ୭, ପଶ୍ଚିମବଙ୍ଗର ୬, ଆସାମର ୫, ବିହାରର ୪, କର୍ଣ୍ଣାଟକର ୩, ମଧ୍ୟପ୍ରଦେଶର ୨, ଛତିଶଗଡ, ଗୁଜରାଟ, କେରଳ ଓ ମେଘାଳୟର ଗୋଟିଏ ଲେଖାଏଁ ଆସନ ରହିଛି। ନଭେମ୍ବର ୨୦ରେ ଝାଡଖଣ୍ଡ ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ଭୋଟ ସହିତ ଉତ୍ତରପ୍ରଦେଶର ୯, ପଞ୍ଜାବର ୪ ଓ କେରଳ ଗୋଟିଏ ଆସନରେ ଉପନିର୍ବାଚନ ହେବ। ନଭେମ୍ବର ୨୩ରେ ଭୋଟ ଗଣତି ହେବ।