ୱାଶିଂଟନ: ନିକଟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବା ରିପବ୍ଲିକାନ ଦଳର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଆସନ୍ତା ୨୦୨୫ ଜାନୁଆରୀ ୨୦ରେ ପୁଣି ଥରେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ତେବେ ଏହା ପୂର୍ବରୁ ସେ ନିଜ ସରକାରକୁ ପ୍ରଭାବଶାଳୀ ଓ ଦକ୍ଷ କରିବା ଦିଗରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଆରମ୍ଭ କରିସାରିଛନ୍ତି। ନିକଟରେ ଟ୍ରମ୍ପ ଏଲନ୍ ମସ୍କ ଏବଂ ଭାରତୀୟ ବଂଶୋଦ୍ଭବ ବିବେକ ରାମାସ୍ୱାମୀଙ୍କୁ ସରକାରୀ ଦକ୍ଷତା ବିଭାଗ (ଡିଓଜିଇ)ର ଦାୟିତ୍ୱ ଦେଇଥିଲେ। ତେବେ ଟ୍ରମ୍ପଙ୍କ କ୍ୟାବିନେଟରେ ଆଉ ଜଣେ ହିନ୍ଦୁ ନେତ୍ରୀ ସ୍ଥାନ ପାଇଥିବା ସୂଚନା ମିଳିଛି। ଭାରତୀୟ-ଆମେରିକୀୟ ତୁଳସୀ ଗବାର୍ଡ ଆମେରିକାର ନୂଆ ଗୁଇନ୍ଦା ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ତୁଳସୀ ଗବାର୍ଡ ପୂର୍ବତନ ସାଂସଦ ହୋଇଥିବା ବେଳେ ଆମେରିକାର ପ୍ରଥମ ହିନ୍ଦୁ କଂଗ୍ରେସ ଓମେନ୍ ଭାବେ ପରିଚିତ।
ତୁଳସୀ ଗବାର୍ଡ ମଧ୍ୟ ଜଣେ ସୈନିକ । ସେ ବିଭିନ୍ନ ସମୟରେ ମଧ୍ୟପ୍ରାଚ୍ୟ ଏବଂ ଆଫ୍ରିକାର ଯୁଦ୍ଧ କ୍ଷେତ୍ରରେ ନିୟୋଜିତ ହୋଇଥିଲେ। ୨୦୨୨ ମସିହାରେ ସେ ଡେମୋକ୍ରାଟିକ୍ ପାର୍ଟିରୁ ଅଲଗା ହୋଇ ରିପବ୍ଲିକାନ୍ ପାର୍ଟିରେ ଯୋଗ ଦେଇଥିଲେ ତୁଳସୀ। ନିର୍ବାଚନୀ ବିତର୍କରେ କାମଲା ହାରିସଙ୍କୁ ପରାସ୍ତ କରିବା ପାଇଁ ଟ୍ରମ୍ପ ତୁଳସୀଙ୍କ ସାହାଯ୍ୟ ମଧ୍ୟ ଲୋଡିଥିଲେ।
ସୂଚନାଥାଉ କି, ଆମେରିକାରେ ଜନ୍ମିତ ତୁଳସୀ ଗବାର୍ଡଙ୍କ ପିତା ସାମୋଆନ୍ ଜଣେ ୟୁରୋପୀୟ ବଂଶୋଦ୍ଭବ ହୋଇଥିବା ବେଳେ ତାଙ୍କ ମା’ ଜଣେ ଭାରତୀୟ। ହିନ୍ଦୁ ଧର୍ମ ପ୍ରତି ତାଙ୍କର ଆଗ୍ରହ କାରଣରୁ ସେ ତାଙ୍କର ନାମ ତୁଳସୀ ରଖିଥିଲେ।