ରାଜୌରୀ: ଜମ୍ମୁ-କଶ୍ମୀରସ୍ଥିତ ରାଜୌରୀ ଜିଲ୍ଲାରେ କଟକଣା ଲାଗୁ ହୋଇଛି। ଏହି କଟକଣା ଜିଲ୍ଲାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ପିକନିକ୍ ଉପରେ ଲଗାଯାଇଛି। ବୁଧବାର ସଂଧ୍ୟାରେ ଏ ସଂକ୍ରାନ୍ତରେ ନିର୍ଦ୍ଦେଶନାମା ଜାରି ହୋଇଛି । ତେବେ ଏହି ନିର୍ଦ୍ଦେଶନାମାରେ କୌଣସି ନିର୍ଦ୍ଦିଷ୍ଟ କାରଣ ଉଲ୍ଲେଖ କରାଯାଇ ନଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ଏହା ସତର୍କତାମୂଳକ ପଦକ୍ଷେପବୋଲି ଅନୁମାନ କରାଯାଉଛି। ମୁଖ୍ୟ ଶିକ୍ଷା ଅଧିକାରୀ ବିଶମ୍ଭର ଦାସଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି । ଏଥିରେ କୁହାଯାଇଛି ଯେ, ଯଦି କୌଣସି ସ୍କୁଲ ଛାତ୍ରଛାତ୍ରୀଙ୍କୁ ପିକନିକ୍ରେ ନିଅନ୍ତି, ତାହେଲେ ଉକ୍ତ ସ୍କୁଲ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାସହିତ ଯଦି କୌଣସି ଅଘଟଣ ଘଟେ ତେବେ ଏଥିପାଇଁ ସ୍କୁଲ୍ ମ୍ୟାନେଜମେଣ୍ଟ ମଧ୍ୟ ଦାୟୀ ରହିବ।
ସୂଚନାଯୋଗ୍ୟ ଯେ, ଗତ କିଛି ଦିନରୁ ଜମ୍ମୁ-କଶ୍ମୀରରେ ଆତଙ୍କବାଦ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ପୂର୍ବରୁ ମଧ୍ୟ ରାଜୌରୀର ବିଭିନ୍ନ ସ୍ଥାନରେ ସନ୍ଦେହଜନକ ଦୃଶ୍ୟ ଦେଖିବାକୁ ମିଳିଛି। ଅନେକ ଅଞ୍ଚଳରେ ବିଭିନ୍ନ ସମୟରେ ସର୍ଚ୍ଚ ଅପରେସନ ମଧ୍ୟ ଜାରି ରହିଛି। ତେଣୁ ପିଲା ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ଆଦେଶ ଜାରି କରାଯାଇଥିବା ଅନୁମାନ କରାଯାଉଛି। ଏ ନେଇ ମୁଖ୍ୟ ଶିକ୍ଷାଧିକାରୀ କେବଳ କହିଛନ୍ତି ଯେ ଜାରି ହୋଇଥିବା ନିର୍ଦ୍ଦେଶ ଅବମାନନା କଲେ ସ୍କୁଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ପ୍ରକାଶଥାଉ କି, ଜମ୍ମୁ-କଶ୍ମୀରର ସିନ୍ଧୁ ଜଳ ଚୁକ୍ତିକୁ ନେଇ ପୁଣିଥରେ ରାଜନୀତି ଆରମ୍ଭ ହୋଇଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଦିଲ୍ଲୀରେ କହିଥିଲେ ଯେ, ସିନ୍ଧୁ ଜଳ ଚୁକ୍ତି ଯୋଗୁଁ ଜମ୍ମୁ-କଶ୍ମୀର ଏହାର ନଦୀଗୁଡ଼ିକୁ ଭଲ ଭାବରେ ବ୍ୟବହାର କରିବାରେ ସକ୍ଷମ ହୋଇନାହିଁ। ଫଳରେ ଜଳବିଦ୍ୟୁତ୍ ଉତ୍ପାଦନର ବିପୁଳ ସମ୍ଭାବନାକୁ ମଧ୍ୟ ଉପଯୋଗ କରାଯାଉନାହିଁ। ଏହା ଦ୍ୱାରା ଆର୍ଥିକ କ୍ଷତି ହେଉଛି । ତେବେ ଏହାକୁ ନେଇ ବୁଧବାର ପିଡିପି ସଭାପତି ମେହବୁବା ମୁଫତି କହିଛନ୍ତି ଯେ, ନିର୍ଦ୍ଧାରିତ ପ୍ରସଙ୍ଗଗୁଡ଼ିକୁ ପୁନରୁଦ୍ଧାର କଲେ କେବଳ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବ। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କେବଳ ଏହି ଚୁକ୍ତି ଉପରେ ପ୍ରଶ୍ନ ଉଠାଇ ବିଜେପିର ଏଜେଣ୍ଡାକୁ ଆଗକୁ ବଢ଼ାଇବା ପାଇଁ କାମ କରୁଛନ୍ତି। ଜମ୍ମୁ-କଶ୍ମୀରକୁ ଅତି କମରେ ଦୁଇଟି ଜଳବିଦ୍ୟୁତ ପ୍ରକଳ୍ପର ସମ୍ପୂର୍ଣ୍ଣ ଅଧିକାର ହସ୍ତାନ୍ତର କରିବାକୁ ସେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଲେ ଭଲ ହେବ।