ନୂଆଦିଲ୍ଲୀ: ଭାରତୀୟ ମହାକାଶ ଏଜେନ୍ସି ଇସ୍ରୋ ଓ ସ୍ପେସ୍ଏକ୍ସ ମଧ୍ୟରେ ମେଗା ଡ଼ିଲ ହୋଇଛି । ବିଶ୍ବର ସବୁଠାରୁ ଧନୀ ଏଲନ ମସ୍କଙ୍କ କମ୍ପାନି ସ୍ପେସ୍ଏକ୍ସ ଆସନ୍ତା ସପ୍ତାହରେ ଫାଲକନ୍ ୯ ରକେଟ୍ ମାଧ୍ୟମରେ ଭାରତର ସବୁଠାରୁ ଉନ୍ନତ ଯୋଗାଯୋଗ ଉପଗ୍ରହ ଜିସାଟ୍-୨୦ (ଜିସାଟ୍ ଏନ୍-୨)କୁ ମହାକାଶକୁ ଉତକ୍ଷେପଣ କରିବା ପାଇଁ କାର୍ଯ୍ୟ କରିବାକୁ ଯାଉଛି ।
ସୂଚନାଯୋଗ୍ୟ ଯେ, ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏବଂ ସ୍ପେସ୍ଏକ୍ସ ମଧ୍ୟରେ ଚୁକ୍ତି ହୋଇଛି। ଏହି ଚୁକ୍ତି ଅନୁସାରେ ଆସନ୍ତା ସପ୍ତାହ ଆରମ୍ଭରେ ଆମେରିକାର କେପ୍ କାନାଭେରାଲରୁ ଜିସାଟ୍-ଏନ୍-୨କୁ ଉତକ୍ଷେପଣ କରାଯିବ। ୪୭୦୦ କିଲୋଗ୍ରାମର ଏହି ଉପଗ୍ରହ ଭାରତୀୟ ରକେଟ ପାଇଁ ବହୁତ ଭାରୀ ଥିବାରୁ ଏହାକୁ ବୈଦେଶିକ ଶୈଳୀରେ ବାଣିଜ୍ୟିକ ଉତକ୍ଷେପଣ ପାଇଁ ପଠାଯାଇଥିଲା। କାରଣ ଭାରତର ନିଜସ୍ୱ ଲଞ୍ଚ ଭେଇକିଲ ମାର୍କ-୩ ମହାକାଶ କକ୍ଷପଥରେ ସର୍ବାଧିକ ଓଜନ ୪୦୦୦ରୁ ୪୧୦୦ କିଲୋଗ୍ରାମ୍ ବହନ କରିବାର କ୍ଷମତା ରଖିଥାଏ।
ପ୍ରକାଶଥାଉ କି, ଭାରତ ଏପର୍ଯ୍ୟନ୍ତ ନିଜର ଭାରୀ ଉପଗ୍ରହ ଉତକ୍ଷେପଣ ପାଇଁ ଏରିଆନସ୍ପେସ ଉପରେ ନିର୍ଭର କରୁଥିଲା କିନ୍ତୁ ବର୍ତ୍ତମାନ କୌଣସି କାର୍ଯ୍ୟକ୍ଷମ ରକେଟ୍ ନଥିବାରୁ ଭାରତ ପାଖରେ ଏକମାତ୍ର ବିଶ୍ୱସନୀୟ ବିକଳ୍ପ ଥିଲା ସ୍ପେସ୍ଏକ୍ସ। କାରଣ ୟୁକ୍ରେନରେ ହେଉଥିବା ସଂଘର୍ଷ ଯୋଗୁଁ ରୁଷିଆ ବାଣିଜ୍ୟିକ ଉତକ୍ଷେପଣ ପାଇଁ ନିଜର ରକେଟ ପ୍ରଦାନ କରିବାରେ ସକ୍ଷମ ହେଉନାହିଁ।